କଳ୍ପେଶ୍ବର ଶୈବ ମନ୍ଦିରରୁ ଚୋରୀ, ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ
ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ଦିନ ବେଳେ ଟାର୍ଗେଟ କରୁଛନ୍ତି । ଆଉ ରାତି ହେଲେ ମନ୍ଦିରରେ ବୁଲାଉଛନ୍ତି କଳାକନା । ଠାକୁରଙ୍କୁ ବି ଛାଡ଼ୁ ନାହାନ୍ତି ଦୁବୃର୍ତ୍ତ । ଅସ୍ତରଙ୍ଗ ଅଞ୍ଚଳରେ କିଛିଦିନ ହେବ ଚୋରମାନଙ୍କର ପ୍ରାଦୁର୍ଭାବ ବଢିଯାଇଥିବା ଦେଖିବାକୁ ମିଳିଛି । ଗତ ୨୦ ତାରିଖ ଦିନ କୁଉଁରପୁର ଗାଁର ଜଣେ ପୂର୍ବତନ ସେନାକର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ସେହି କୁଉଁରପୁର ଗାଁର କଳ୍ପେଶ୍ବର ଶିବ ମନ୍ଦିରରୁ ଚୋରୀ ହୋଇଥିବା ଅସ୍ତରଙ୍ଗ ଥାନାରେ ଅଭିଯୋଗ ହୋଇଛି । ଦୁବୃର୍ତ୍ତମାନେ ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ରହିଥିବା ଗେଟର ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରି ମନ୍ଦିରର ଗର୍ଭ ଗୃହର ତାଲା ଭାଙ୍ଗି ସେଠାରୁ ଘଣ୍ଟ, ଘଣ୍ଟା, ମାଇକ ମେସିନ, ରୂପା ଅଳଙ୍କାର ସହିତ ଦାନ ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ଲୁଟି ନେଇଥିବା ଜାଣିବାକୁ ମିଳିଛି । ଏସମ୍ପର୍କରେ ମନ୍ଦିର ପୂଜକ ଅସ୍ତରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରୀ ହୋଇଥିବା ସ୍ଥାନରେ ତଦନ୍ତ ଆରମ୍ଭ କରିଛି । ଦୁବୃର୍ତ୍ତମାନେ ସାଙ୍ଗରେ ଆଣିଥିବା ଏକ ଶାବଳକୁ ଛାଡି ଚାଲିଯାଇଥିବା ବେଳେ ଅନେକ ସାମଗ୍ରୀ ଲୁଟି ନେଇଛନ୍ତି । ପୂର୍ବରୁ ଏହି ମନ୍ଦିରରୁ ଦୁଇଥର ଚୋରୀ ହୋଇଥିବା ବେଳେ ଏଥରକୁ ମିଶାଇ ତିନିଥର ଚୋରୀ ହୋଇଛି ।
ଅସ୍ତରଙ୍ଗ ଅଞ୍ଚଳରେ ଦିନକୁ ଦିନ ଲୁଟ ମାମଲା ବଢ଼ି ଚାଲିଛି । ଯଦି ଏ ସ୍ଥାନରେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଆନ୍ତା । ଏବଂ ମନ୍ଦିରରୁ ଚୋରି କରିଥିବା ଚୋରଙ୍କୁ ଧରାଯାଆନ୍ତା ତେବେ ଚୋରିର ମାତ୍ରା ଅଳ୍ପ ବହୁତେ କମିବ ନିଶ୍ଚିତ । ତେବେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦୁର୍ବୃତ୍ତଙ୍କ ଲୁଟ ଉପରେ ରୋକ ଲଗାଇବା ପାଇଁ ଦୃଢ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।