ଦୀର୍ଘ ବର୍ଷର ପୁରୁଣା ମନ୍ଦିରକୁ କାହାରି ନିଘା ନାହିଁ, ଶ୍ରଦ୍ଧାଳୁମାନଙ୍କ ପାଇଁ ନାହିଁ କୌଣସି ବ୍ୟବସ୍ଥା

ଯାଜପୁର ଦଶରଥପୁର ବ୍ଲକ ଭେଲଙ୍ଗ ଗାଁରେ ରହିଛି ସର୍ବ ପୁରାତନ ବାବା ଭୀମେଶ୍ବର ଶିବ ମନ୍ଦିର । ଏହି ପୀଠର ମହିମା ଏବଂ ସ୍ୱତନ୍ତ୍ରତା ପାଇଁ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ସୋମବାର ହେଲେ ଏଠାରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ । ମାନସିକ ଶାନ୍ତି ପାଇବା ଏବଂ ମହାଦେବଙ୍କ ଦର୍ଶନ ପାଇଁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭିଡ ଜମେଇଥାନ୍ତି । ବାବାଙ୍କ ଦର୍ଶନ ପାଇଁ ମଧ୍ୟ ଭକ୍ତମାନେ ବେଶ ଉତ୍ସାହିତ ରହିଥାନ୍ତି । ବାବାଙ୍କ କୁଣ୍ଡ ପାଦୁକା ପାନ କଲେ ଭଲ ହୋଇଥାଏ ଅନେକ ରୋଗ । ବାବାଙ୍କ ଅପାର ମହିମା ଥିବାରୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ଧାଇଁ ଆସିଥାନ୍ତି ଆଶିଷ ଲାଭ କରିବା ପାଇଁ । କିନ୍ତୁ ଦୀର୍ଘ ବର୍ଷର ପୁରୁଣା ଏହି ମନ୍ଦିରକୁ କାହାରି ନିଘା ନାହିଁ ।

ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ । ଖରା ବର୍ଷାରେ ଆଶ୍ରୟ ନେବାକୁ ଶ୍ରଦ୍ଧାଳୁଙ୍କ ପାଇଁ ଘର ଖଣ୍ଡିଏ ନାହିଁ । ଷ୍ଟ୍ରିଟ ଲାଇଟ କି ମନ୍ଦିର ପରିସରରେ ଲାଇଟର ସୁବ୍ୟବସ୍ଥା ନାହିଁ । ଏପରିକି ଶୌଚାଳୟଟିଏ ମଧ୍ୟ ନାହିଁ । ପାଚେରୀ ନଥିବାରୁ ଗାଈ ଗୋରୁ ଛେଳି ମେଣ୍ଢା କୁକୁର ଇତ୍ୟାଦିଙ୍କର ଅବାଧ ପ୍ରବେଶ ହେଉଛି । ମୌଳିକ ସୁବିଧା ନଥିବାରୁ ଶ୍ରଦ୍ଧାଳୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ସୁନ୍ଦର ଶୈବ ପୀଠର ରକ୍ଷଣାବେକ୍ଷଣ ପ୍ରତି ଅବହେଳା କରାଯାଉଥିବା ଦେଖିବାକୁ ମିଳିଛି । ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ସମସ୍ତ ସୁବିଧା ନଥିବାରୁ ଲୋକେ ପୀଠକୁ ଆସୁନାହାନ୍ତି । ଏସବୁ ସୁବିଧା କରାଯିବା ସହିତ ଏହାକୁ ଏକ ପର୍ଯଟନସ୍ଥଳୀର ମାନ୍ୟତା ଦେବାକୁ ଦାବି ହୋଇଛି ।

ଶ୍ରଦ୍ଧାଳୁମାନଙ୍କ ପାଇଁ ଶୌଚାଳୟ କିମ୍ବା ଅନ୍ୟାନ୍ୟ ସୁବିଧା ନାହିଁ । ବିଭିନ୍ନ ସମୟର ଏହାର ଉନ୍ନତିକରଣ ପାଇଁ ପ୍ରତିଶୃତି ମିଳେ କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତେ ଭୁଲି ଯାଆନ୍ତି । ତେବେ ଏହାର କେବେ ବିକାଶ ହେଉଛି ତାହା ଦେଖିବାକୁ ବାକି ରହିଲା ।