ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ, ଘରୋଇ ହସ୍ପିଟାଲ ନାଁରେ ଅଭିଯୋଗ
କଟକ: ତୃଟିପୂର୍ଣ୍ଣ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ । କଟକ ମଙ୍ଗଳାବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ହସ୍ପିଟାଲ ବିରୋଧରେ ମଙ୍ଗଳାବାଗ ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଯାଜପୁର ଅଞ୍ଚଳର ରଶ୍ମି ରଞ୍ଜନ ମଲ୍ଲିକ ନାମକ ନାବାଳକକୁ ଅପରେସନ୍ ପାଇଁ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଅପରେସନ ପୂର୍ବରୁ ଇଞ୍ଜେକସନ ଦେବା ପରେ ଗୁରୁତର ଅସୁସ୍ଥ ହେବା ସହ ତାଙ୍କ ମୃତ୍ୟୁ ଘଟିଥିଲା ।
ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଦୋଷକୁ ଲୁଚାଇବା ପାଇଁ ରୋଗୀଙ୍କ ସ୍ୱାସ୍ଥ୍ୟ ଖରାପ ଅଛି, ତାକୁ ICUକୁ ନେବା ପାଇଁ ପରିବାର ଲୋକଙ୍କୁ କହିଥିଲେ । ଅପରେସନ ନକରି ଏକ ପେପରରେ ଦସ୍ତଖତ କରିବା ପାଇଁ ମୃତ ନାବାଳକଙ୍କ ପରିବାରକୁ ବାଧ୍ୟ କରିଥିଲେ । ପରିବାର ଲୋକ ଦସ୍ତଖତ ନକରି ଥାନାର ଦ୍ୱାରସ୍ଥ ହୋଇଥିଲେ । ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଏସସିବି ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ମଙ୍ଗଳାବାଗ ପୋଲିସ ।