ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ଅମାବାସ୍ୟା ନୀତି, ପୟାଶ୍ରାଦ୍ଧ ଓ ବଡ଼ବଡୁଆ ଡାକ ପାଇଁ ଜମିଛି ଭିଡ଼

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ଅମାବାସ୍ୟା ନୀତି । ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀଜିଉଙ୍କ ଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଛନ୍ତି ଶ୍ରଦ୍ଧାଳୁ । ବଡ଼ବଡୁଆ ହୋ,ଅନ୍ଧାରେ ଆସି ଆଲୁଏ ଯାଅ,ଗଙ୍ଗା ଯାଅ,ଗୟା ଯାଅ,ଅଭଡ଼ା ଖାଇ ବାଇଶି ପାହାଚେ ଗଡଗଡଉ ଥାଅ । ଏମିତି ଡାକରେ ପ୍ରକମ୍ପିତ ହୋଇଛି ବଡଦାଣ୍ଡ । ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହୋଇ ବଡ଼ବଡୁଆ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ ।
ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ବା ପୟାଶ୍ରାଦ୍ଧର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ ତିନୋଟି ସ୍ଥାନରେ କାଉଁରିଆ କାଠି ଜାଲିଛନ୍ତି ଶ୍ରଦ୍ଧାଳୁ।ବିଧି ମୁତାବକ ଫଳ,ଫୁଲ,ଚନ୍ଦନରେ ଆମ ଓ ହେମ ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରଦ୍ଧାଳୁ ମାନେ ଏକୋଦିଷ୍ଟ ଶ୍ରାଦ୍ଧ ଦାନ କରିଛନ୍ତି । ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଫ୍ୟାୟାର ବ୍ରିଗେଡ଼ର କଡା ସୁରକ୍ଷା ଏବଂ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ସହ ପୟାଶ୍ରାଦ୍ଧ ପାଇ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ।