ଆସନ୍ତା ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର: କଟକ, ଖୋର୍ଦ୍ଧା ଓ ନୟାଗଡ଼ ପାଇଁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର: ତାତିରେ ସିଝୁଛି ସାରା ଓଡ଼ିଶା । ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୨ ଡ୍ରିଗି ସେଲସିୟସ ରେକର୍ଡ ହୋଇଛି । ଆସନ୍ତା ୩ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ପବନ ଆସୁଥିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଉପକୂଳ ଓଡ଼ିଶାର ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ଖୋର୍ଦ୍ଧା ଓ ନୟାଗଡ଼ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ତାପମାତ୍ରା ବୃଦ୍ଧିକୁ ଆଖିରେ ରଖି ହିଟ୍‌ୱେଭ ସତର୍କତା ଜାରି ହୋଇଛି। ଦିନ ୧୧ଟାରୁ ୩ ଟା ଯାଏଁ ବୟସ୍କ, ରୋଗୀ ଓ ଶିଶୁଙ୍କୁ ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ୩ ଦିନ ପରେ ରାଜ୍ୟରେ ପୁଣି ବଦଳିବ ପାଣିପାଗର ମିଜାଜ୍‌ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନର ପ୍ରବାହ ବଢିବ । ଫଳରେ ତାପମାତ୍ରା କମିବା ସହ ଅଧିକାଂଶ ସ୍ଥାନରେ କାଳବେଶାଖୀ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.