ବଢ଼ିବାରେ ଲାଗିଛି ସହରର କଳେବର, କିନ୍ତୁ ଦାହ ସଂସ୍କାର ପାଇଁ ନାହିଁ ଶ୍ମଶାନ

ଦିନକୁ ଦିନ ବଢ଼ିଚାଲିଛି କାମାକ୍ଷାନଗର ସହରର କଳେବର । ସେହିପରି ବଢିଚାଲିଛି ସହରର ଜନସଂଖ୍ୟା । ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତାକୁ ନେଇ ପ୍ରସ୍ତୁତି ହୋଇଛି ରୂପରେଖ l କିନ୍ତୁ ଆଜି ପର୍ଯ୍ୟନ୍ତ ମୃତଦେହ ସଂସ୍କାର ପାଇଁ ସ୍ଥାୟୀ ଶ୍ମଶାନ ଖୋଜୁଛନ୍ତି ସହରବାସୀ l ଆତ୍ମୀୟ ସ୍ୱଜନଙ୍କ ଦାହ ସଂସ୍କାର ପାଇଁ ଶ୍ମଶାନ ନଥିବାରୁ ହନ୍ତସନ୍ତ ହେଉଛନ୍ତି ସମ୍ପର୍କୀୟ ।

ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସଦରମହକୁମାକୁ ବାଦ ଦେଲେ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହରର ମାନ୍ୟତା ପାଇଛି କାମାକ୍ଷାନଗର ସହର । ଯାହା ଫଳରେ ଦିନକୁ ଦିନ ସହରର ଜନସଂଖ୍ୟା ଲଗାତାର ଭାବେ ବଢ଼ିଚାଲିଛି । ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ସ୍ଥାୟୀ ଶ୍ମଶାନ । ଯାହାକୁ ନେଇ ଚିନ୍ତାରେ ସହର ବାସୀ । ଗୋଟିଏ ପଟେ ଜାତୀୟ ରାଜପଥ ୫୩ର ସମ୍ପ୍ରସାରଣ ଓ ଅନ୍ୟପଟେ ରେଲୱେ ଲାଇନ କାର୍ଯ୍ୟ ଯୋଗୁଁ ସହର ଆଖପାଖରେ ଥିବା ସ୍ଥାନ ଆଉ ପ୍ରାୟତଃ ନାହିଁ କହିଲେ ଚଳେ । ତେଣୁ ବର୍ଷର ପ୍ରତ୍ୟେକ ସମୟରେ ଦାହ ସଂସ୍କାର କରିବାପାଇଁ ସମସ୍ୟା ଭୋଗନ୍ତି ସହରବାସୀ । ସହରର ରେକୁଳାଠାରେ ଥିବା ନଦୀ କୂଳ, ଜିରିଡାମାଳିସ୍ଥିତ ରେଙ୍ଗାଳି କେନାଲ ପାର୍ଶ୍ଵ, ଜାତୀୟ ରାଜପଥ ପାର୍ଶ୍ଵ ଓ ବିଲ ମଝିରେ ଦାହ ସଂସ୍କାର କରୁଛନ୍ତି ସହରବାସୀ । ଆବଶ୍ୟକ ସ୍ଥାନ ନଥିବାରୁ ଏଣେତେଣେ ବାଧ୍ୟ ହୋଇ ଦାହ ସଂସ୍କାର କରୁଛନ୍ତି ଲୋକେ । ଖରା ଓ ବର୍ଷା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସହରର ଜନସଂଖ୍ୟାକୁ ଗୁରୁତ୍ୱ ଉପଲବ୍ଧି କରି ତୁରନ୍ତ ସରକାରୀ ସ୍ତରରେ ଓ ପ୍ରଶାସନର ସହାୟତାରେ ସ୍ଥାୟୀ ଶ୍ମଶାନ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଜିରିଡାମାଳି ନିକଟରେ ଥିବା ଶ୍ମଶାନଟି ଲଟିବୁଦାରେ ଭରପୁର ରହିଥିବା ବେଳେ ଏଠାରେ ଦାହ ସଂସ୍କାର କରିବାକୁ ଆସୁଥିବା ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳ ନାହିଁ । ସେହିପରି ରାମିଆଳ ନଦୀକୂଳରେ ବର୍ଷାଦିନେ ନଦୀ ବଢ଼ି ହେଉଥିବା ବେଳେ ଦାହ ସମ୍ଭବପର ହେଉନାହିଁ । ଯାହା ଫଳରେ ଆତ୍ମୀୟଙ୍କ ବିୟୋଗ ଠାରୁ ଅଧିକ ଚିନ୍ତାର ବିଷୟ ପାଲଟିଛି ଦାହ ସଂସ୍କାର କରିବା । ଏହି ସମସ୍ୟାରୁ ସହର ବାସୀଙ୍କୁ ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବ ସରକାରଙ୍କ ସମୟରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହର ଉପକଣ୍ଠ ଜନ୍ତାରିବୋଲ ନିକଟରେ ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଦାହ କେନ୍ଦ୍ର ନିର୍ମାଣ ହୋଇଥିଲା । ମାତ୍ର ବର୍ତମାନ ସମୟରେ ତାହା ଅସମ୍ପୂର୍ଣ ଓ ଆଧାପନ୍ତରିଆ ଭାବେ ପଡି ରହିଛି । ଏଠାରେ ଦାହ ସଂସ୍କାର କରିବା ପାଇଁ ସ୍ୱତନ୍ତ୍ର ପିଣ୍ଡି, ଲୋକମାନଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ବିଦ୍ୟୁତ ସେବା ଆଦି କରିବାକୁ ଥିବାବେଳେ ଏହି ଦାହ ସଂସ୍କାର କେନ୍ଦ୍ର ଏବେ ଅଧା ଅଧୁରା । ଯାହାକୁ ନେଇ ଅଞ୍ଚଳ ବାସୀ ତୁରନ୍ତ ଏହି ଦାହ ସଂସ୍କାର କେନ୍ଦ୍ରର ତୁରନ୍ତ ନିର୍ମାଣ ଶେଷ କରିବା ସହ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି କରିଛନ୍ତି । ତୁରନ୍ତ ଡିଆରଡିଏ ସହ ଯୋଗାଯୋଗ କରି କିପରି ଅର୍ଥ ଆସିବ ସେନେଇ ବ୍ୟବସ୍ଥା କରିବା ସହ ଶ୍ମଶାନକୁ କାର୍ଯ୍ୟକ୍ଷମ କରିବା ପାଇଁ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି ।

ଦାହ ସଂସ୍କାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରଥା ପାଳନ କରିବା ପାଇଁ ହନ୍ତସନ୍ତ ସହରବାସୀ । ତେଣୁ ତୁରନ୍ତ କାମାକ୍ଷାନଗର ସହର ପରିସରରେ ସ୍ଥାୟୀ ଦାହ ସଂସ୍କାର କେନ୍ଦ୍ର କାର୍ଯ୍ୟକ୍ଷମ କରାଇବାକୁ ସରକାର ଓ ପ୍ରଶାସନକୁ ଦାବି ଜଣାଇଛନ୍ତି ସହରବାସୀ ।

You might also like