ଏବେ ସୁଦ୍ଧା ରାଜ୍ୟରେ HMPV ସଂକ୍ରମଣ ନେଇ କୌଣସି ସୂଚନା ନାହିଁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ HMPV ସଂକ୍ରମଣ ନେଇ କୌଣସି ସୂଚନା ନାହିଁ । ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ଭାଇରାଲ ହେବା ପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ପ୍ରତିକ୍ରିୟା ରଖିଛନ୍ତି ।  ଏବେ ସୁଦ୍ଧା ରାଜ୍ୟରୁ କେହି HMPV ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନି । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି ସେ ସବୁ ନେଗେଟିଭ ଆସିଛି । ସାଧାରଣ ଥଣ୍ଡା ଜ୍ବର ଭଳି ଏହାର ଲକ୍ଷଣ । ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ ।  କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ ।  ତେଣୁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

HMPV ସଂକ୍ରମଣ କୁ ନେଇ ରାଜ୍ୟ ସରକାର ସତର୍କ ଅଛନ୍ତି ଏଣୁ ସମୀକ୍ଷା ବୈଠକ ଡାକିଥିଲେ । ବୈଠକ ପରେ ସୂଚନା ଦିଆଯାଇଥିଲା ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହ୍ୟୁମାନ ମେଟାନ୍ୟୁମୋ ଭାଇରସକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି ।  ଓଡ଼ିଶାବାସୀ HMPV ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏଚଏମପିଭିର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ । କିନ୍ତୁ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଇଡିଏସ୍ ପି, ଏନସିଡିସି, IDSP – NCDC ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସମସ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଏମସ୍ ଭୁବନେଶ୍ୱର, ଆର୍ ଏମ୍ ଆର୍ ସି ଭୁବନେଶ୍ୱର, ଆଇଏଲ୍ ଏସ୍ ଭୁବନେଶ୍ୱର HMPV ଉପରେ ନଜର ରଖିଛନ୍ତି ।

ତେଣୁ ଜନସାଧାରଣ ବ୍ୟସ୍ତବିବ୍ରତ କିମ୍ବା ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ବୈଠକରେ କୁହାଯାଇଛି । ବ୍ୟାପକ ଜନସଚେତନତା ଓ ସତର୍କତା ଦ୍ୱାରା ସଂକ୍ରମଣକୁ ସହଜରେ ପ୍ରତିହତ କରାଯାଇପାରେ । ସବୁବେଳେ ବ୍ୟକ୍ତିଗତ ତଥା ପରିବେଶର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଅନୁରୋଧ କରିଛି । HMPV ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ ଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା ।

You might also like