ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ, ୧୭ ପରେ ବି ଆବେଦନ କଲେ ମିଳିବ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନା ପାଇଁ କଲ୍‌ ସେଣ୍ଟର ଉଦ୍‌ଘାଟନ ହୋଇଯାଇଛି ।  ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି ।  ସେ କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏ ଫର୍ମ ଗ୍ରହଣ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ବି ପ୍ରଥମ କିସ୍ତି ମିଳିବ ।

ଅନ୍ୟପଟେ ସୁଭଦ୍ରା ଯୋଜନା ପାଇଁ କେଉଁଠି ମହିଳାଙ୍କ ଲମ୍ବା ଲାଇନ ତ କେଉଁଠି ଦଳଚକଟା ଭଳି ସ୍ଥିତି ଉପୁଜିଛି । ରାଜ୍ୟର ବିଭିନ୍ନ ଡାକଘର, ଆଧାର କେନ୍ଦ୍ର, ବ୍ୟାଙ୍କ ଓ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।  ତେବେ ଏହି ଭିଡ଼ ସୁଭଦ୍ରା ଫର୍ମ ପାଇଁ ନୁହେଁ, ବରଂ ଆଧାର-ମୋବାଇଲ ଲିଙ୍କ୍ ପାଇଁ ।  କାରଣ ସୁଭଦ୍ରା ଟଙ୍କା ପାଇଁ ବାଧା ସୃଷ୍ଟି କରିଛି ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟରେ ମୋବାଇଲ ନମ୍ବର ସଂଯୋଗ । ଯାହା ଅନେକ ମହିଳାଙ୍କର ନାହିଁ । ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥିପାଇଁ କଲ୍ ସେଣ୍ଟର ଖୋଲା ଯାଇଛି । ତେବେ ଫର୍ମ ଦାଖଲର ଶେଷ ତାରିଖ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ବି ମିଳିବ ଟଙ୍କା ।

୨୧ରୁ ୬୦ ବର୍ଷର ମହିଳା ଏଥିପାଇଁ ଆବେଦନ କରିପାରିବେ ।  ଆଉ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ । ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ପର୍ଯ୍ୟାପ୍ତ ସୁଭଦ୍ରା ଫର୍ମ ଦିଆଯାଇଛି  ।  ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ଏବଂ ପୂରଣ କରି ଦାଖଲ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି । ଅର୍ଥାତ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡିବ ନାହିଁ ।

କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରି ସାରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ରହିଥିବା ଆବଶ୍ୟକ । ନଚେତ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ । ତେଣୁ ଅନେକ ଜନକେନ୍ଦ୍ରରେ ଏବେ E-KYC କରିବା ପାଇଁ ବି ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଭୁବନେଶ୍ବରର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ରାଜ୍ୟସ୍ତରୀୟ ସମାରୋହ ପାଇଁ ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବାବୈଠକରେ ଆବେଦନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.