ଡାକ୍ତରଖାନାରେ ନାହାନ୍ତି ସ୍ଥାୟୀ ଡାକ୍ତର, ଆୟୁଷ ଡାକ୍ତର ଦ୍ଵାରା ଚାଲିଛି ସ୍ବାସ୍ଥ୍ୟ ସେବା

ବାଙ୍କୀ: ୨୦ ହଜାର ରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବା ଡାକ୍ତରଖାନାରେ ନାହାନ୍ତି ସ୍ଥାୟୀ ଡାକ୍ତର । ଜଣେ ଫାର୍ମାସିଷ୍ଟ ଆଉ ଜଣେ ଆୟୁଷ ଡାକ୍ତର ଦ୍ଵାରା ଚାଲିଛି ସ୍ବାସ୍ଥ୍ୟ ସେବା । ଏହା କେଉଁ ଉପାନ୍ତ ଅଞ୍ଚଳରେ ଚିତ୍ର ନୁହେଁ । ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟକୁ ଲାଗି ରହିଥିବା ଡାକ୍ତରଖାନାର ଏ ହେଉଛି ଚିତ୍ର ।

କଟକ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୦ କିଲୋ ମିଟର ଦୂର ଓ ରାଜଧାନୀ ଭୁବନେଶ୍ବର ଠାରୁ ୩୦ କିଲୋମିଟର ଦୂରରେ ବାଙ୍କୀ ଡମପଡ଼ା ବ୍ଲକ୍ ର ବୃହତ୍ତମ ଗ୍ରାମ ପଞ୍ଚାୟତ ତାଳବସ୍ତରେ ୧୯୮୯ ମସିହାରୁ ପ୍ରତିଷ୍ଠା ହୋଇଥିବା ଡ଼ାକ୍ତରଖନାରେ ନାହାନ୍ତି ସ୍ଥାୟୀ ଡାକ୍ତର। ଏହି ତାଳବସ୍ତ ଗ୍ରାମ ପଞ୍ଚାୟତ ସହିତ ଦୁଲଣା ପୁର, ଡମପଡ଼ା ଗ୍ରାମ ପଞ୍ଚାୟତର ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ରହୁଥିବା ୫ଟି ଗାଁର ଲୋକେ ଏହି ଡାକ୍ତରଖନାକୁ ଚିକିତ୍ସା ପାଇଁ ଆସୁଛନ୍ତି । ଏଠାରେ ସମୟାନୁସାରେ ପରୀକ୍ଷାଗାରା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ନାହାନ୍ତି ଡାକ୍ତର। ଫଳରେ ଗୁରୁତର ଅବସ୍ଥାରେ ରୋଗୀମାନେ କିଏ କଟକ, ତ କିଏ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ବାଧ୍ୟ ହେଉଛି ।

ତାଳବସ୍ତ ଡାକ୍ତରଖାନାକୁ ଡାକ୍ତର ନିଯୁକ୍ତି ହେଉଛନ୍ତି । ନିଯୁକ୍ତି ପାଉଥିବା ଡାକ୍ତରମାନେ ମାସେ କିମ୍ବା ଦୁଇ ମାସ ପରେ ଉଚ୍ଚ ଶିକ୍ଷା ପାଇଁ ଏଠାରୁ ପଳାନ୍ତି । ଅତୀତରେ ଯେଉଁ କେତେଜଣ ନିଯୁକ୍ତି ପାଇଛନ୍ତି ସେମାନେ ଏଠାରୁ ଚାଲି ଯିବାରୁ ଫାର୍ମାସିଷ୍ଟଙ୍କ ଭରଷାରେ ଆସୁଛନ୍ତି ରୋଗୀ । ବହୁ ଅଭିଯୋଗ ପରେ ଜଣେ ମହିଳା ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଛି । ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ସ୍ଥାନୀୟ ବାସିନ୍ଦା କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଦାବୀ ପତ୍ର ଦେଇଥିଲେ ମଧ୍ୟ ନିଯୁକ୍ତି ହୋଇ ପାରି ନାହାନ୍ତି ଡାକ୍ତର । କିନ୍ତୁ ଖୁବ୍ କମ୍ ଦିନ ମଧ୍ୟରେ ନୂତନ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ତାଳବସ୍ତ ଡାକ୍ତରଖାନାରେ ସ୍ବାସ୍ଥ୍ୟ ବିଭାଗ କେବେ ଜଣେ ଡାକ୍ତର କିମ୍ବା ବିଶେଷଜ୍ଞଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦେବ ତାହା ହିଁ ଲୋକଙ୍କ ଅପେକ୍ଷା ।

Also Read: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ନିଯୁକ୍ତି ପାଇବେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରା ମେଡିକାଲ ଷ୍ଟାଫ୍