ବେଲଗାମ ଆଳୁ ଦର, ବିଭିନ୍ନ ସ୍ଥାନରେ ଆଳୁ କେଜି ୬୦ ଟଙ୍କା ପାର

କଟକ/ ନରସିଂପୁର : ବେଲଗାମ ଆଳୁ ଦର । ହୁ ହୁ ହୋଇ ବଢୁଛି ଦର । ବିଭିନ୍ନ ସ୍ଥାନରେ ଆଳୁ କେଜି ୬୦ ଟଙ୍କା ପାର କଲାଣି । ସେହିପରି କଟକ ଛତ୍ର ବଜାରରେ ଆଳୁ କେଜି ୬୦ ଟଙ୍କାରେ ବିକ୍ରି ହେଉଛି । ସମାନ ଅବସ୍ଥା ବଡ଼ମ୍ବା ନରସିଂହପୁରରେ ମଧ୍ୟ ଦେଖିବାକୁ ମିଳୁଛି । ଯାହା ବି ଆଳୁ ଆସୁଛି କିଛି କଳାବଜାରୀ ସହିତ ଖାଉଟି ଜବରଦସ୍ତି କରି ନେଇ ଯାଉଛନ୍ତି । ତେଣୁ ବାଧ୍ୟ ହୋଇ କଳାବଜାରୀ ବଢୁଛି । ଏବେ ରେଟ ପ୍ରାୟ ୫୦ ରୁ ୬୦ ବିକ୍ରି ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବଜାରରୁ ଆଳୁ ମଧ୍ୟ ଉଭାନ ହୋଇଗଲାଣି । ଯେଉଁଠି ବସ୍ତା ବସ୍ତା ଆଳୁ ଗଦା ହୁଏ ସେଠି ପୂରା ଫାଙ୍କା । ଗତ ୪ ଦିନ ଧରି ଗଦିକୁ ଆଳୁ ଗାଡ଼ି ଆସିନି।
ରାଜ୍ୟକୁ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବନ୍ଦ ରହିଛି । ଓଡ଼ିଶାକୁ ଉତ୍ତରପ୍ରଦେଶରୁ ଆଳୁ ଆସୁଛି। ଆବଶ୍ୟକ ମୁତାବକ ଆଳୁ ଗାଡ଼ି ରାଜ୍ୟରେ ଠିକ୍ ସମୟରେ ପହଞ୍ଚି ପାରୁନି। ପୁଣି ଉତ୍ତର ପ୍ରଦେଶର ଆଳୁର ମାନ ଭଲ ନୁହେଁ ବୋଲି କୁହାଯାଉଛି । ଫଳରେ ଗୋଦାମରେ ଆଳୁ ସରି ଆସୁଥିବା ବେଳେ ରାଜ୍ୟରେ ପୁଣି ଥରେ ଆଳୁ ସଙ୍କଟ ଗମ୍ଭୀର ହେଉଛି। ଏବେ ହାଣ୍ଡିଶାଳ ଉପରେ ଆଳୁ ଚଡ଼କ। ରାଜ୍ୟ ସରକାର ଖୁବ ଶୀଘ୍ର ଆଳୁ ସଂକଟର ସମାଧାନ ହେବ କହୁଥିବାବେଳେ ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି।
ଅନ୍ୟପଟେ ପରିବା ଦର ବି ଅହେତୁକ ବୃଦ୍ଧିକୁ ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ମାତ୍ର ଏବେ ୫୦୦ ଟଙ୍କାରେ ବି ବ୍ୟାଗଟେ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।