ରାଜ୍ୟରେ ଶୀତର ଦେଖା ନାହିଁ, ଆଜି ୧୦ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା
ରାଜ୍ୟରୁ ଶୀତ ଉଭାନ୍। ନଭେମ୍ବର ଯାଇ ଡିସେମ୍ବର ପ୍ରଥମ ସପ୍ତାହ ସରିଗଲାଣି । ହେଲେ ରାଜ୍ୟରେ ଶୀତର ଦେଖା ନାହିଁ । ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ଚଳିତବର୍ଷ ଉଭାନ ହୋଇଯାଇଛି ।
ମଝିରେ କିଛି ଦିନ ଦୁଇରୁ ତିନୋଟି ସହରର ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିଥିଲା । ହେଲେ ଏବେ ପୁଣି ଶୀତର ଦେଖା ନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ନାହିଁ । ଅର୍ଥାତ ସମସ୍ତ ସହରରେ ରାତିର ପାରଦ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ।
କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାର ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ କିଛି ସ୍ଥାନରେ ୨୦ ଡିଗ୍ରୀ ଡେଇଁପାରେ ତାପମାତ୍ରା । ସେପଟେ ଆଜି ୧୦ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ।