ନିଶା ଛଡାଉଛ ନା ନିର୍ଯାତନା ଦେଉଛ? ରାଜ୍ୟରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ବେଆଇନ ନଶା ନିବାରଣ କେନ୍ଦ୍ର
ନିଶାଡିଙ୍କୁ ନିଶାରୁ ମୁକ୍ତ କରିବା ବଦଳରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ବି ଆସୁଛି। ଯାହାଫଳରେ ମୃତ୍ୟୁ ବି ଘଟୁଥିବା ନଜିର ରହିଛି । ଆଉ ଶୋଷଣ କରୁଛନ୍ତି ପରିବାରବର୍ଗଙ୍କୁ। ପରିଚାଳନା ନିମନ୍ତେ କୌଣସି ବ୍ୟବସ୍ଥା ନଥିବାରୁ ଅପବ୍ୟବହାର ହେଉଛି ଏହିସବୁ କେନ୍ଦ୍ରର
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ନିଶା ନିବାରଣ କେନ୍ଦ୍ର। ଉଦ୍ଦେଶ୍ୟ ହେଉଛି ନିଶା ଛାଡ଼ି ପାରୁନଥିବା ଲୋକଙ୍କୁ ନିଶା ମୁକ୍ତ କରାଇବା । ସେମାନଙ୍କ ଭବିଷ୍ୟତ ଜୀବନକୁ ସୁଧାରିବା । ହେଲେ ଏହି କେନ୍ଦ୍ରଗୁଡ଼ିକରେ ପ୍ରକୃତରେ କଣ ଘଟୁଛି ତାକୁ ତଦାରଖ କରିବାକୁ କେହି ନାହାନ୍ତି । ବିନା ଅନୁମତିରେ ଅବାଧରେ ଚାଲିଛି ଏସବୁ କେନ୍ଦ୍ର। ନିଶାଡିଙ୍କୁ ନିଶାରୁ ମୁକ୍ତ କରିବା ବଦଳରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ବି ଆସୁଛି। ଯାହାଫଳରେ ମୃତ୍ୟୁ ବି ଘଟୁଥିବା ନଜିର ରହିଛି ।
ଆଉ ଶୋଷଣ କରୁଛନ୍ତି ପରିବାରବର୍ଗଙ୍କୁ। ପରିଚାଳନା ନିମନ୍ତେ କୌଣସି ବ୍ୟବସ୍ଥା ନଥିବାରୁ ଅପବ୍ୟବହାର ହେଉଛି ଏହିସବୁ କେନ୍ଦ୍ରର। ନିଶା ନିବାରଣ କେନ୍ଦ୍ର ନାଁରେ ଚାଲିଛି ଭଲ ବ୍ୟବସାୟ। ଏବେ ମୟୂରଭଞ୍ଜ ଜିଲ୍ଲାରେ ଛତୁ ଫୁଟିଲା ଭଳି ନିଶା ନିବାରଣ କେନ୍ଦ୍ର ଚାଲିଛି। ଜିଲ୍ଲାରେ ଗୋଟିଏ ମାତ୍ର ସରକାରୀ ସ୍ବୀକୃତିପ୍ରାପ୍ତ ନିଶାନିବାରଣ କେନ୍ଦ୍ର ରହିଥିବା ବେଳେ ଖୋଲିଛି ୨୦ ରୁ ଊର୍ଦ୍ଧ୍ବ ଘରୋଇ କେନ୍ଦ୍ର। ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଜିଲ୍ଲା ପ୍ରଶାସନର ନଜର ନାହିଁ କି ଏହା ଉପରେ ଅଙ୍କୁଶ ଲଗାଇବାର କୌଣସି ଆଗ୍ରହ ଥିବା ଭଳି ଜଣାପଡୁ ନାହିଁ।
ମୟୂରଭଞ୍ଜ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ରୋଗୀଙ୍କୁ ଆଣି ଶୋଷଣ କରୁଛନ୍ତି ପରିବାର ଲୋକଙ୍କୁ। ମୋଟା ଅଙ୍କର ଅର୍ଥ ନେଇ ଅନ୍ତେବାସୀଙ୍କୁ ଦିଆଯାଉଛି ନିର୍ଯ୍ୟାତନା। ଏଭଳି ଦୃଶ୍ୟ ବାରମ୍ୱାର ଦେଖିବାକୁ ମିଳିଛି ଜିଲ୍ଲାରେ। ଏପରିକି ନିର୍ଯ୍ୟାତନା ଦେଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିଯୋଗ ପରେ ପୋଲିସ ମଧ୍ୟ ଆକ୍ସନ ମୁଡ୍ ରେ। ନିଶା ନିବାରଣ କେନ୍ଦ୍ର ମଲିକକୁ ଗିରଫ ସହ କେନ୍ଦ୍ରକୁ ସିଲ ମଧ୍ୟ କରିଛି। କେବଳ ନିର୍ଯ୍ୟାତନା ନୁହେଁ, ହତ୍ୟା ଭଳି ଅଭିଯୋଗ ଆସିଛି ନିଶା ନିବାରଣ କେନ୍ଦ୍ର ମାଲିକଙ୍କ ନାଁରେ।.. ..
ବାରିପଦା ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର। ଏହି କେନ୍ଦ୍ରର ମାଲିକଙ୍କ ନାଁରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ଦେବାର ବାରମ୍ୱାର ଅଭିଯୋଗ ଆସିଛି। ବାରମ୍ୱାର ଜେଲ ମଧ୍ୟ ଯାଇଛନ୍ତି କେନ୍ଦ୍ର ମାଲିକ। ବାରିପଦା ଟାଉନ ଥାନା ସମେତ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା। ଥରେ କି ଦୁଇଥର ନୁହେଁ, ବାରମ୍ୱାର ସିଲ ହୋଇଛି କେନ୍ଦ୍ର। ତଥାପି ଟଙ୍କା ମୋହ ଛାଡି ନପାରି ବେଆଇନ ଭାବେ କେନ୍ଦ୍ରକୁ ଚଳାଇ ଆସୁଛନ୍ତି। ଏପରିକି ନାଁ ବଦଳାଇ ପୁଣି ଚଳାଉଛନ୍ତି କେନ୍ଦ୍ର। ସେହିଭଳି ଆଉ ଏକ କେନ୍ଦ୍ର ହେଉଛି ଉପଦେଷ୍ଟା। ଯାହା ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ନିର୍ଯ୍ୟାତନା ଆଳରେ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା।
ପୁଣି ଥରେ ବେଆଇନ ଭାବେ ଚାଲିଛି କେନ୍ଦ୍ର। କେବଳ ଏହି ଦୁଇ କେନ୍ଦ୍ର ନୁହଁ, ଜିଲ୍ଲାରେ ଏଭଳି ୨୦ରୁ ଅଧିକ କେନ୍ଦ୍ର ବେଆଇନ ଭାବେ ଚାଲିଛି । ହେଲେ ପ୍ରଶାସନ ଶୋଇଯାଇଛି ନିଘୋଡ ନିଦରେ। ମୟୂରଭଞ୍ଜ ଜିଲ୍ଲାରେ ଖୋଲିଥିବା ଏହି କେନ୍ଦ୍ର ଗୁଡିକରୁ କେବଳ ଅନୁଷ୍ଠାନକୁ ସରକାରୀ ସ୍ବୀକୃତି ମିଳିଛି। ବାରିପଦା ସହର ପାଲବଣୀଅରେ ଆରଡିଏସି ପରିଚାଳିତ ଏହି ନିଶା ନିବାରଣ କେନ୍ଦ୍ରର ରହିଛି ଅନୁମତି। ବିନାମୂଲ୍ୟରେ ଏଠି ଚିକିତ୍ସା କରାଯାଏ। ଡାକ୍ତରଙ୍କ ଉପସ୍ଥିତିରେ ଚିକିତ୍ସା ପଦ୍ଧତିର ବ୍ୟବହାର ହୋଇଥାଏ। କୋଡିଏରୁ ଉର୍ଦ୍ଧ୍ବ କେନ୍ଦ୍ରରୁ କେବଳ ଏହି କେନ୍ଦ୍ରକୁ ଅନୁମତି ଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ। ତେବେ ଗୋଟିଏ ନିଶା ନିବାରଣ କେନ୍ଦ୍ର ଖୋଲିବାକୁ ହେଲେ ରହିଛି ଅନେକ ନିୟମ କାନୁନ। ରୋଗୀଙ୍କ ପାଇଁ ଜଣେ ସାଇକାଟିକ୍ସ ଚିକିତ୍ସକ, ଜଣେ ଫିଜିଓଥେରାପିଷ୍ଟ, ଜଣେ ଡାଇଟେସିୟାନ ରହିବା ଜରୁରୀ। ନିଶାଡିଙ୍କ ମାନିସକ ସ୍ଥିତି ଯାଞ୍ଚ କରି ଚିକିତ୍ସା କରିବା ଜରୁରୀ ହୋଇଥାଏ।
ମାତ୍ର ସବୁ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ଏଠି ଚାଲିଛି କେନ୍ଦ୍ର। ଆଶ୍ଚର୍ଯ୍ୟର କଥାଯେ, ଏମାନଙ୍କ ପାଇଁ ଏଯାଏଁ କୌଣସି ଗାଇଡ୍ ଲାଇନ୍ ପ୍ରସ୍ତୁତ ହୋଇନି। ଇଏ ହେଉଛି ପଞ୍ଜାବ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ପ୍ରସ୍ତୁତ ସ୍ଵତନ୍ତ୍ର ଏସ୍ଓପି। ଏହି ନିୟମ ଆଧାରରେ ଖୋଲିହେବ ନିଶା ନିବାରଣ କେନ୍ଦ୍ର। କେତେ ଜଣ ଚିକିତ୍ସକ ରହିବେ, କଣ ସବୁ ବ୍ୟବସ୍ଥା ହାତକୁ ନିଆଯିବ ସବୁ ଉଲ୍ଲେଖ ରହିଛି ଏହି ଏସ୍ଓପିରେ। ସେହିଭଳି ଇଏ ହେଉଛି ଡେରାଡୁନ ଜିଲ୍ଲା ପ୍ରଶାସନର ପ୍ରସ୍ତୁତ ହୋଇଥିବା ଗାଇଡଲାଇନରେ ମଧ୍ୟ ସବୁ ନିୟମ ଉଲ୍ଲେଖ କରାଯାଇଛି। ହେଲେ ଏହି ନିଶା ନିବାରଣ କେନ୍ଦ୍ରକୁ ନେଇ ଆମ ରାଜ୍ୟରେ କୌଣସି ସ୍ଵତନ୍ତ୍ର ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇନି। ଯାହାର ସୁଯୋଗ ନେଇ ବାରମ୍ୱାର ସିଲ ସତ୍ତ୍ବେ ଏଭଳି କେନ୍ଦ୍ର ଚଳାଇ ଆସୁଛନ୍ତି ଅସାଧୁ ବ୍ୟବସାୟୀ। ତେବେ କଳିଙ୍ଗ ଟିଭିର ହସ୍ତକ୍ଷେପ ପରେ ତତ୍ପର ହୋଇଛି ପ୍ରଶାସନ। ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ କେନ୍ଦ୍ର ଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ମୟୂରଭଞ୍ଜ ପୋଲିସ ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା। ଜଣେ ଅତିରିକ୍ତ ଏସ୍ପି ୨ ଜଣ ଡିଏସ୍ପିଙ୍କ ନେତୃତ୍ଵରେ ଚାଲିଛି ଯାଞ୍ଚ ପ୍ରକ୍ରିୟା।
କେବଳ ଜିଲ୍ଲା ପ୍ରଶାସନ ନୁହେଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ମଧ୍ୟ ଏଥିପ୍ରତି ତତ୍ପର ହେବା ଜରୁରୀ। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କେନ୍ଦ୍ର ଗୁଡିକର ନିୟମିତ ଯାଞ୍ଚ ହେବା ଜରୁରୀ । ମାତ୍ର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପାଖରେ କେତୋଟି କେନ୍ଦ୍ର ଖୋଲାଯାଇଛି ସେନେଇ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ। ନିଶା ନିବାରଣ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ କୌଣସି ତଥ୍ୟ ନଥିବା ସେ ସ୍ପଷ୍ଟ କରିଛନ୍ତି। ସେହିପରି ପୌରାଞ୍ଚଳରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପୂର୍ବରୁ ଟ୍ରେଡ୍ ଲାଇସେନ୍ସ ନିଆଯିବା ଜରୁରୀ ।
ମାତ୍ର ଏଭଳି କୌଣସି ଟ୍ରେଡ୍ ଲାଇସେନ୍ସ କୌଣସି ନିଶା ନିବାରଣ କେନ୍ଦ୍ର ନିକଟରେ ନଥିବା ଜଣାପଡିଛି। ବାରିପଦା ପୌର ପରିଷଦ ଟ୍ରେଡ ଲାଇସେନ୍ସ ଅଛିକି ନାହିଁ ଶୀଘ୍ର ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ନଗରପାଳ କହିଛନ୍ତି। ଅନ୍ୟପଟେ ଜିଲ୍ଲାପାଳ ମଧ୍ୟ ବେଆଇନ କେନ୍ଦ୍ର ଗୁଡିକ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ଏହି ନିଶା ନିବାରଣ କେନ୍ଦ୍ରକୁ ନେଇ ଏଭଳି ସ୍ଥିତି କେବଳ ମୟୁରଭଞ୍ଜ ଜିଲ୍ଲା ନୁହେଁ ରାଜ୍ୟର ସମସ୍ତ ଜିଲ୍ଲାରେ ଉପୁଜିଥିବା ବେଳେ ସରକାରରୀ ସ୍ତରରେ ନିଶା ନିବାରଣ କେନ୍ଦ୍ର ପାଇଁ ସ୍ଵତନ୍ତ୍ର ଗାଇଡ୍ଲାଇନ୍ ନେଇ କଣ କୁହନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଆସନ୍ତୁ ଶୁଣିବା|