ଚିଠି ସହ ଥାନାରେ ବାଇକ୍ ଛାଡ଼ି ଚାଲିଗଲା ଲୁଟେରା, କିନ୍ତୁ ଚୋରର ପତ୍ତା ମିଳୁନି

ନନା ମୁଁ ତମକୁ ଭୁଲ ମାଗୁଛି । ମୋ ପୁଅ ତୁମ ଗାଡ଼ି ନେଇ ଆସିଛି । ମୋ ପୁଅ ଥାନା ଆଗରେ ତମ ଗାଡ଼ି ରଖି ଦେଇ ଆସିଛି । ମୋର ସାହସ ହଉନି ତମକୁ କଲ୍ କରିବାକୁ । ତୁମେ ଆମ ଘରକୁ ଆସିଲେ ଆମେ କଥା ହବା । ଏମିତି ଏକ ଚିଠି ସହ ଥାନାରେ ବାଇକ୍ ଛାଡ଼ି ଚାଲିଗଲା ଲୁଟେରା । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛି ପୋଲିସ । କିଏ କେତେବେଳେ ବାଇକ୍ ଆଣି ଥାନାରେ ଛାଡ଼ି ଚାଲିଗଲା ତାର ପତା ମିଳୁନି । ଲୁଟେରା ଚୋରି କରିଥିବା ବାଇକକୁ ଆଣି ଥାନାରେ ରଖିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ବାହାଘର ଦିନ ବର ପକ୍ଷ କ୍ୟାମେରା ମ୍ୟାନ ସାଜି କନିଆର ଦାଦାଙ୍କ ବାଇକ ଚୋରି ହେବା ଘଟଣାରେ ଆସିଛି ଟ୍ବିଷ୍ଟ । ହଠାତ ଗତକାଲି ରାତିରେ ଲୁଟେରା ଜଣକ ଲୁଟ ବାଇକକୁ ଆଣି ଥାନାରେ ଛାଡି ଦେଇଯାଇଛି । ଲୁଟ ବାଇକ ମିଳିବା ଖବର ଶୁଣିବା ପରେ ଥାନାରେ ପହଞ୍ଚିଥିଲେ ବାଇକ ମାଲିକ । ହେଲେ ଆଶ୍ଚର୍ଯ୍ୟର କଥା କିଏ ଏବଂ କେତେବେଳେ ବାଇକ ଆଣି ଥାନାରେ ରଖିଦେଇ ଗଲା ତାର ପତ୍ତା ମିଳୁନି । ଅନ୍ୟପଟେ ଥାନା ପରିସରରେ ବାଇକ ଛାଡ଼ିଯିବା ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ ।  ପରେ ଲୁଟେରା ସେହି ବାଇକରେ ଏକ ଚିଠି ଛାଡି ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଚିଠିରେ ଲୁଟେରା ନୁହେଁ ବରଂ ତାର ବାପା ପୁଅ ବାଇକ ଲୁଟି ଆଣିଥିବାରୁ ଭୁଲ ମାଗିଛନ୍ତି । ଏବଂ ପୁଅକୁ କିଛି ନ କରିବାକୁ ଚିଠିରେ ବାପା ଅନୁରୋଧ କରିଛନ୍ତି । ତେବେ ଚିଠିରୁ ଅନୁମାନ କରାଯାଉଛି ଯେ ସେହି ଗାଁର ଜଣେ ଯୁବକ ବାହାଘର ସୁଯୋଗ ଦେଖି ବାଇକକୁ ଚୋରି କରି ନେଇଥିଲେ ଏବଂ ପରେ ନିଜ ବାପାଙ୍କ କଥା ମାନି ଗାଡି ଥାନାରେ ରଖି ଯାଇଛି ଚୋର ।

କହି ରଖୁଛୁ ଉଦଳା ଥାନା ବୈରାଟପୁର ଗାଁରେ ଏକ ବାହାଘର ହେଉଥିବାବେଳେ ଝିଅ ଘରୁ ବାଇକ୍ ଚୋରି ହୋଇଥିଲା । ଗାଁର ସୁଶୀଲ ମିଶ୍ରଙ୍କ ଝିଅ ବାହାଘର ହେଉଥିଲା। ତେବେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହିତ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ । ବରପକ୍ଷ ପହଞ୍ଚିବା ପରେ କନିଆର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ପାଇଁ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କ ବାଇକ ପାଇ ନଥିଲେ । ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନ ପାଇବାରୁ ଶେଷରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାହାକୁ ଦେଖିବା ପରେ ବରପକ୍ଷ କ୍ୟାମେରା ମ୍ୟାନ ପିଲାଙ୍କ ମଧ୍ୟରୁ ଜଣେ ଯୁବକ ବାଇକ ଲକ୍ ଭାଙ୍ଗି ବାଇକ ନେଇ ଫେରାର ମାରୁଥିବା ଦେଖିବାକୁ ପାଇଥିଲେ । ବାହାଘର ସରିବା ପରେ କ୍ୟାମେରାମ୍ୟାନ ଭାବେ ଆସିଥିବା ଅନ୍ୟ ଯୁବକଙ୍କୁ ଅଟକାଇ ରଖିବା ସହିତ ଏନେଇ ଉଦଳା ପୋଲିସ କୁ ଖବର ଦେଇଥିଲେ ପରିବାର । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ଚୋରି ବାଇକ ମିଳିଯାଇଛି । ତେବେ ବାଇକ୍ କିଏ ଚୋରି କରିଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ ।