ଭୁବନେଶ୍ୱର : ଚୋର ଫେରାଇଲା ସାର୍ଟିଫିକେଟ୍‌ ହେଲେ ରଖିଦେଲା ଲାପ୍‌ଟପ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଚୋର ହେଲେ କଣ ହେବ ମାନବିକତା ଅଛି । ଚୋରଟି ଏଭଳି କିଛି କାମ କରିଛି ତାକୁ ଚୋରିର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ରଶଂସା କରିଛନ୍ତି । ଏ ଘଟଣା ଆମ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଗତ ଅକଟୋବର ୧୮ ତାରିଖରେ ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଚୋରଟିଏ ବେଶ୍‌ ଆରାମରେ ଘର ଭିତରେ ପଶି ଲାପଟପ୍‌ ବ୍ୟାଗ୍‌ ଉଠାଇ ଚାଲିଗଲା । ଏହି ଘଟଣା ସିସିଟିଭିରେ ସିନା ରେକର୍ଡ଼ ହେଲା କିନ୍ତୁ ଚୋରକୁ ଧରି ପାରିଲାନି ପୋଲିସ୍‌ ।

THIEF-1ଏପଟେ ଚୋରିର ଶିକାର ହୋଇଥିବା ଯୁବକ ଧରଣୀଧର ସାହୁ ଲାପ୍‌ଟପ୍‌ ପାଇଁ ଯେତିକି ଚିନ୍ତାରେ ନଥିଲେ ତା ଠାରୁ ଅଧିକ ଚିନ୍ତାରେ ଥିଲେ ଆଉ ଏକ କାରଣ ପାଇଁ । କାରଣ ଲାପଟପ୍‌ ବ୍ୟାଗରେ ତାଙ୍କ ଜୀବନର ସବୁ ପୁଞ୍ଜି ବା ଅରିଜିନାଲ ସାର୍ଟିଫିକେଟ୍‌ଗୁଡ଼ିକ ଥିଲା । ସେପଟେ ଚୋରର ମନରେ ମଧ୍ୟ ଟିକେ ଭାବନା ଆସିଲା । ବୋଧହୁଏ ବେକାରୀ କଣ ସେ ଜାଣିଥିଲା । ଧରଣୀଧରଙ୍କ ସାର୍ଟିଫିକେଟ୍‌ ସବୁ ଦେଖିବା ପରେ ଜାଣିଲା ଯେ ଏସବୁ କେତେ ଦରକାରୀ । ଏମିତି ଖୋଜୁ ଖୋଜୁ ଧରଣୀଧରଙ୍କ ଆଧାର କାର୍ଡ଼ ମଧ୍ୟ ମିଳିଲା । ସେଥିରେ ଥିଲା ତାଙ୍କ ଫୋନ୍‌ ନମ୍ବର । ଚୋରଟି ସେହି ଫୋନ୍‌ ନମ୍ବରରେ କଲ୍‌ କରି ଧରଣୀଧରଙ୍କ ସହିତ କଥା ହେଲା ଏବଂ ସାର୍ଟିଫିକେଟ୍‌ଗୁଡ଼ିକ ଫେରାଇ ଦେବ ବୋଲି କହିଲା ।

thief-3

ତେବେ ପୂରା ମାଗଣାରେ ନୁହେଁ । ଏ ବାବଦରେ ମାଗିଲା ୬୦୦ ଟଙ୍କା । ଏହି ଟଙ୍କା ପାଇବା ପରେ ସେ ଏକ ବସ୍‌ ଯୋଗେ ଧରଣୀଧରଙ୍କୁ ତାଙ୍କ ସାର୍ଟିଫିକେଟ୍‌ ଫେରାଇଲା । ହେଲେ ଲାପ୍‌ଟପ୍‌ କି ମୋବାଇଲ୍‌ ନୁହେଁ । ଯୁବକ ଜଣକ ଏବେ ଆଶ୍ୱସ୍ତ ଯେ ଯାହା ବି ହେଉ ଅରିଜିନାଲ ସାର୍ଟିଫିକେଟ୍‌ଗୁଡ଼ିକ ପାଇଗଲେ । ମନେ ମନେ ଚୋରକୁ ଧନ୍ୟବାଦ ଦେଲେ । ସତରେ ଚୋରର ବି କିଛି ନୈତିକତା ଅଛି ନା ନାହିଁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.