ଦୋକାନ ଭିତରୁ ଗହଣା ବ୍ୟାଗ ନେଇ ଫେରାର ମାରିଲେ ଦୁର୍ବୃତ୍ତ, ତଦନ୍ତ ଜାରି ରଖିଛି ପୋଲିସ

ଗହଣା ଦୋକାନ ଭିତରେ ପଶି ନଗଦ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇ ଫେରାର ମାରିଛନ୍ତି ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ମାଳତୀ ଜୁଏଲର୍ସରୁ ହୋଇଛି ଲୁଟ । ଆଜି ସକାଳେ ଦୋକାନୀ ଜଣକ ଦୋକାନ ଖୋଲିବା ପରେ ବାହାରକୁ ପାଣି ଆଣିବାକୁ ଯାଇଥିଲେ ।

ଏହି ସମୟରେ ନଗଦ ଟଙ୍କା ଏବଂ ଗହଣା ଭର୍ତ୍ତି ବ୍ୟାଗକୁ ଦୋକାନ ଭିତରେ ରଖିଥିଲେ । ସେହି ବ୍ୟାଗରେ ୫ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଏବଂ ୩୦୦ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଥିଲା । କିନ୍ତୁ ପାଣି ଆଣି ଦୋକାନରେ ଦେଖନ୍ତି ତ ବ୍ୟାଗ ନାହିଁ । ସଙ୍ଗେ ସଙ୍ଗେ ବ୍ୟାଗ୍ ଖୋଜାଖୋଜି କରିଥିଲେ ଦୋକାନ ମାଲିକ । କିନ୍ତୁ ସେତେବେଳକୁ ବ୍ୟାଗ ନେଇ ଦୁର୍ବୃତ୍ତ ଚମ୍ପଟ ମାରି ସାରିଥିଲେ । ତେବେ ଲୁଟ କରି ଫେରାର ହୋଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଜଳେଶ୍ବର ଅଞ୍ଚଳରେ ଦିନକୁ ଦିନ ଚୋରି ମାମଲା ବଢ଼ି ଚାଲିଛି । କିନ୍ତୁ ଏ ଚୋରି ପ୍ରତି କାହାରି ବି ନିଘା ନାହିଁ । ଲୋକେ ରାତି କଣ ଦିନରେ ବି ଭୟଭୀତ ଅବସ୍ଥାରେ ରହୁଛନ୍ତି । ତେବେ ଏ ଘଟଣାରେ ଚୋରକୁ ଶୀଘ୍ର ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି ।