ଜାଗର ପାଇଁ ଝିଅ ଘରକୁ ଯାଇଥିଲେ ମା’, ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଚୋର

ଉଦଳା: ଜାଗର ପାଇଁ ଝିଅ ଘରକୁ ଯାଇଥିଲେ ମା’ । ଖବର ଆସିଲା ତମ ଘର କବାଟ ଖୋଲାଅଛି । ମହିଳା ଜଣକ ଆସି ଦେଖନ୍ତି ତ ଘର ଝରକା ଖୋଲା ଅଛି କବାଟ ଭଙ୍ଗା ଯାଇଛି । ଆଉ ଗଡ୍ରେଜ୍ ଖୋଲା ପଡ଼ିଛି । ତା ସହ ଟ୍ରଙ୍କର ଜିନିଷ ମଧ୍ୟ ଏତେତେଣେ ପଡ଼ିଛି । ଚାରିଆଡ଼େ ଲୁଗା ପଟା ପଡ଼ିଛି ଆଉ ଘର ସାରା ଛିନ୍ ଛତର ହୋଇ ପଡ଼ିଛି ଆସବାବ ପତ୍ର । ସୁନା ଜିନିଷର ଖୋଳ ପଡ଼ିଥିବା ବେଳେ ଭିତରୁ ସୁନା ଗାୟବ । ହଠାତ ଘରର ଏଭଳି ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ । ଯାହାପରେ ସେ ବୁଝି ଯାଇଥିଲେ ଯେ ଘରୁ ଚୋରି ହୋଇଛି ।
ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ପଶିଲେ ଦୁର୍ବୃତ୍ତ ଆଉ କଳେବଳେ କୌଶଳେ ଲୁଟିନେଲେ ସବୁକିଛି । ଘର ଭିତରେ ଥିବା ଗଡ଼ରେଜକୁ ଉଠାଇ ଆଣି ଖଟ ଉପରେ ରଖି ତାକୁ ଭାଙ୍ଗି ଲୁଟ କରି ଲୁଟିନେଲେ ସମସ୍ତ ସୁନା ଗହଣା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗ୍ରାମରେ । ଗ୍ରାମର କାହ୍ନୁଚରଣ ପାଣ୍ଡିଆଙ୍କ ସ୍ତ୍ରୀ ରୁଚିରା ପାଣ୍ଡିଆ ଶିବରାତ୍ରି ପାଇଁ ନିଜ ଝିଅ ଘର ଉଦଳାକୁ ଯାଇଥିଲେ । ହେଲେ ଗତକାଲି ତାଙ୍କ ଘର କବାଟ ଖୋଲାଥିବା ଦେଖିବା ସହିତ ସ୍ଥାନୀୟ ଲୋକଙ୍କ ଠାରୁ ଘରୁ ଲୁଟ ହୋଇଥିବା ବାବଦରେ ଜାଣି ତାଙ୍କ ଜ୍ୱାଇଁ ତାଙ୍କୁ ତୁରନ୍ତ ଖବର ଦେଇଥିଲେ ।
ଘରୁ ଏଭଳି ଲୁଟର ଖବର ପାଇ ରୁଚିରା ତୁରନ୍ତ ଘରେ ପହଞ୍ଚିଥିଲେ । ପରେ ଲୁଟେରାମାନେ ଘରେ କଳାକନା ବୁଲାଇ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟିନେଇଥିବା ଜାଣିବାକୁ ପାଇଥିଲେ । ଯାହାପରେ ସର୍ବସ୍ୱାନ୍ତ ହୋଇଯାଇଛି ରୁଚିରାଙ୍କ ପରିବାର । ଲୁଟେରାମାନେ ଘର ଭିତରେ ପଶି ଗଡ଼ରେଜକୁ ଟେକି ଖଟ ଉପରେ ରଖି ତାହାକୁ ଭାଙ୍ଗି ଲୁଟ କରିଛନ୍ତି । ପରେ ଏ ନେଇ ସେ କପ୍ତିପଦା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲୁଟର ତରିକା ଦେଖି ଏଥିରେ ୪ ଜଣରୁ ଅଧିକ ଲୁଟେରା ସାମିଲ ଥିବା ପୋଲିସ ଅନୁମାନ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କ ସୁରାକ ପାଇନାହିଁ । ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ଏହି ଲୁଟେରାଙ୍କ ଶୀକାର ହେଉଥିବା ନଜର ଆସୁଛି । ପୋଲିସ୍ ଯେତେ ଚାଲାକ୍ ଭାବେ କାମ କଲେ ମଧ୍ୟ ସବୁବେଳେ ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି ଚୋର । ଆଜିକାଲିର ଏଭଳି ପରିସ୍ଥିତି ଯୋଗୁଁ ଲୋକେ ଘର ତାଲା ପକାଇ କୁଆଡେ ଯିବାକୁ ଭୟ କଲେଣି । ତେବେ ବର୍ତ୍ତମାନ ପୁଣି ଏଭଳି ଲୁଟ ଖବର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
Also read: ବଡ଼ଦାଣ୍ଡରେ ବୁଲୁଛନ୍ତି ସାଧୁ ବେଶଧାରୀ ଲୁଟେରା, ଫଳ ବ୍ୟବସାୟୀଙ୍କୁ କଲେ ଟାର୍ଗେଟ