ଚୋରି କରି ଫେରାର ହେବା ବେଳେ ଘଟିଲା ଦୁର୍ଘଟଣା, ୫ଗୁରୁତର

ଝାରୁସୁଗୁଡା : ଚୋରି କରି ଫେରାର ହେବା ବେଳେ ଘଟିଲା ଦୁର୍ଘଟଣା । ତାପରେ ଧରାପଡିଗଲେ ସବୁ ଚୋର । ସବୁଦିନ ଚୋରି କରିବା ଥିଲା ପେସା, କିନ୍ତୁ ଏଥର ସାଥ୍ ଦେଲାନି ଭାଗ୍ୟ । ଚୋରି କରି ଫେରାର ହେବା ବେଳେ  ଘଟିଲା ଦୁର୍ଘଟଣା । ଯାହାଫଳରେ ଚାଳକ ସମେତ ୫ଜଣ ଚୋର ଗୁରୁତର ।

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲା କୋଲାବିରା ତଥା ଆଖପାଖ ଅଞ୍ଚଳରୁ ବିଦ୍ୟୁତ୍ ତାର ଚୋରି ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇସାରିଲାଣି । ପୋଲିସ୍ ପକ୍ଷରୁ ସାରା ସାରା ରାତି ପାଟ୍ରୋଲିଂ କରାଯାଉଥିଲେ ବି ଚୋର ମାନେ କୋଲାବିରା ଅଞ୍ଚଳରୁ ଚୋରି କରିବାକୁ ଏକ ପ୍ରକାର ମନସ୍ତ କରିସାରିଥିବା ପରିଲକ୍ଷିତ ହେଉଛି । ଏବେ ଲଗାତାର ତିନିଦିନ ଧରି କୋଲାବିରା ଥାନାରୁ ଅନତିଦୁର ପଟ୍ଟାପଡ଼ା, ସାହ୍ଲେପାଲି, ତରେଇକେଲା ଅଞ୍ଚଳରୁ ବିଦ୍ୟୁତ୍ ତାର କାଟି ଚୋରମାନେ ନେଇଯାଉଥ‌ିବା ଅଭିଯୋଗ ହୋଇ ଅଆସୁଥିଲା । ମାତ୍ର ପୋଲିସ୍ ପକ୍ଷରୁ କଡ଼ାକଡ଼ି ଚେକିଂ କରାଗଲେ ବି ଚୋରି କରିବାରେ ସଫଳ ହେଉଥିଲେ ଚୋର।

କିନ୍ତୁ କଥାରେ ଅଛି ସମୟ ସବୁବେଳେ ସମାନ ନଥାଏ । ଗତ ରବିବାର ରାତିରେ ନିୟମିତ କ୍ରମରେ ପୁଣି ବିଦ୍ୟୁତ୍ ତାର ଚୋରି କରିବା ଉଦ୍ଦେଶ୍ୟରେ ପଟ୍ଟାପଡ଼ା ଗ୍ରାମକୁ ପଶିଥିଲେ କିଛି ଚୋର । ଏକ ଟାଟା ମେଜିକ ଓ ଏକ ପିକଅପ୍ ଗାଡ଼ିରେ ପାଖାପାଖି ୧୫ ଜଣ ଚୋର ରାତି ୧୧ଟାରେ ଗାଁ ଭିତରକୁ ପଶିଥିଲେ । ତେବେ ନିୟମିତ ଚୋରି ଯୋଗୁଁ ଗ୍ରାମବାସୀ ମଧ୍ୟ ସତର୍କ ହୋଇ ରହୁଥିଲେ । ତେବେ ଗାଁ ମୁଣ୍ଡରୁ ତାର କାଟିବାକୁ ଉଦ୍ୟମ ଆରମ୍ଭ କରିବାକୁ ଯାଉଥିବା ବେଳେ ଗ୍ରାମବାସୀମାନେ ହୋ ହଲ୍ଲା କରିଥିଲେ । ଏଥି ମଧ୍ୟରେ ଚୋରମାନେ ଆଣିଥିବା ଟାଟା ମ୍ୟାଜିକରେ ଖସି ପଳାଇବାକୁ ଚେଷ୍ଟା  କରୁଥିବା ସମୟରେ ଭାରସାମ୍ୟ ହରାଇ ଟାଟା ମ୍ୟାଜିକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟାଟା ମ୍ୟାଜିକରେ ଥିବା ସମସ୍ତ ୫ଜଣ ପଶ୍ଚିମବଙ୍ଗର ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ଆହତ ହୋଇଥିବା ୩ଜଣଙ୍କୁ ବୁର୍ଲା ଡାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ଅବଦୁଲ ରାହି(୨୪) ଓ ଆକାଶ ସେଖ(୨୪) ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ଭି କରାଯାଇଛି ।

ଏହି ଚୋରମାନଙ୍କ ଠାରୁ ଗାଡ଼ି ସହ ଗ୍ୟାସ୍ କଟର, ରଶି ଏବଂ ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ୍ କରାଯାଇଛି । ଗାଡ଼ିଟି ଝାରସୁଗୁଡା ପାୱାରହାଉସ କଲୋନୀର ସଞ୍ଜୟ କୁମାର ସୋନାରଙ୍କ ନାମରେ ରହିଥବା ବେଳେ ଧରାପଡ଼ିଥ‌ିବା ସମସ୍ତ ଯୁବକ ପଶ୍ଚିମବଙ୍ଗର ନଦିଆ ଓ ମୁର୍ଶିଦାବାଦ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଦିନ ବେଳା ଏମାନେ ବିଭିନ୍ନ ଅଞ୍ଚଳରେ ଫେରି କରିବାକୁ ବାହାରି ଅଞ୍ଚଳରେ ରେକି କରିଥାନ୍ତି ଏବଂ ରାତି ହେଲେ ଚୋରି କରୁଥିବା ଜଣାପଡିଛି । ଏକଥା ଧରାପଡିଥିବା ଚୋର ମାନଙ୍କୁ ପଚାରିବାରୁ ସେମାନେ  ସ୍ଵୀକାର କରିବା ସହିତ କୁଲାବିରା ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

 

You might also like