ମେଳା ଦେଖିବାକୁ ଯାଇଥିବାବେଳେ ଘରେ ପଶି କଳାକନା ବୁଲାଇଲେ ଚୋର

ନୀଳଗିରି: ଆପଣ କେବେ ଯଦି ନିଜ ଘର ତାଲା ପକାଇ କୁଆଡେ ଯାଉଛନ୍ତି, ତାହେଲେ ହୋଇଯାଆନ୍ତୁ ସାବଧାନ୍ । ନଚେତ୍ ଘର ତ ଥିବ କିନ୍ତୁ ନଥିବ ଘରେ ଥିବା ଟଙ୍କା ସୁନା ଅଳଙ୍କାର ଓ ଆସବାବ ପତ୍ର । ପୁଣି ଆସି ପହଁଚିଛି ଏମିତି ଏକ ଖବର । ଘରେ ପଶି ସବୁକିଛି ଚଳୁ କରିଦେଇଛନ୍ତି ଚୋରମାନେ । ଏବେ ନିଜର ସବୁ ସୁନା ଗହଣାକୁ ହରାଇ ଲୁହ ଗଡାଉଛନ୍ତି ପୀଡିତ ପରିବାର ।
ମେଳା ଦେଖିବାର ମଜା ପାଲଟିଲା ସଜା । କେହିନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଲୁଟେରା । ଲୁଟିନେଲେ ୪୦ ହଜାର ଟଙ୍କା ସହ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା । ହଁ ଆଜ୍ଞା ଘରେ କେହି ନ ଥିବାବେଳେ ଦୁର୍ବୃତ୍ତ ବୁଲାଇଲେ କଳାକନା । ଏଭଳି ଘଟଣା ଘଟିଛି ନୀଳଗିରି ଥାନା ଏନଏସି ୭ ନଂ ୱାର୍ଡ ଦାସ ସାହିରେ ।
ପ୍ରଥମେ ଘର ଅନ୍ଧାର କଲେ । ଆଉ ଭିତରୁ ପଟୁ ଘର ବନ୍ଦ କରି କଳାକନା ବୁଲାଇ ଫେରାର ମାରିଲେ । ସୂଚନା ଅନୁଯାୟୀ, ନୀଳଗିରି ଥାନା ଏନଏସି ୭ ନଂ ୱାର୍ଡ ଦାସ ସାହିର ଦୀପକ ସିଂଙ୍କ ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ରାତି ପ୍ରାୟ ୮ ଟାରେ ଦୀପକ ଓ ତାଙ୍କ ପରିବାର ଲୋକେ ମେଳା ବୁଲିବାକୁ ଯାଇଥିଲେ ।
ମେଳା ଦେଖି ଘରକୁ ଫେରିଲା ବେଳେକୁ ଘରର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିଲା । ଏସବୁ ଦେଖି ଘର ଭିତରକୁ ଯାଇ ଦେଖିଲା ବେଳକୁ ଆଲମାରୀ ଖୋଲା ପଡିଥିବାବେଳେ, ସେଥିରେ ଥିବା ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏପଟେ ଏନେଇ ପରିବାର ଲୋକ ତୁରନ୍ତ ନୀଳଗିରି ପୋଲିସକୁ ଅବଗତ କରିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଦେଖିଲେ ତ କେମିତି ଘରର ତାଲା ଭାଙ୍ଗି, କେମିତି ସବୁ ଲୁଟି ନେଇଛନ୍ତି ଚୋର । ଘରେ ଆଉ କିଛି ନାହିଁ, ସବୁ ଟଙ୍କା ସୁନାଗହଣା ପୋଛି ନେଇଯାଇଛନ୍ତି । ଘରେ କେହି ନଥିବାର ସୁଯୋଗ ନେଇ ଏମିତି କାଣ୍ଡ ଭିଆଇଛନ୍ତି ଚୋରମାନେ । ତେବେ ଏଭଳି ଘଟଣା ବାରମ୍ୱାର ନୀଳଗିରି ଅଞ୍ଚଳରେ ଘଟୁଥିବାରୁ ପୋଲିସ୍ ପାଟ୍ରୋଲିଂକୁ କଡାକଡି କରିବା ସହ ଚୋରଙ୍କୁ ଧରି କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଆହୁରି ପଢନ୍ତୁ: ବ୍ରହ୍ମପୁରରେ ଛୁରାମାଡ଼: ଯୁବକ ମୃତ,ଆକ୍ରମଣକାରୀ ବାପା ଓ ପୁଅ ଥାନାରେ ଅଟକ