ବାଃ କି ବୁଦ୍ଧି: ସିସିଟିଭିରେ ଗାମୁଛା ଗୁଡେଇ ସବୁ ଲୁଟିନେଲେ ଚୋର

ଉଦଳା: ବାଃ କି ଅଇଡିଆ । ମାନିବାକୁ ପଡିବ ଚୋରର ବୁଦ୍ଧିକୁ । ପୋଲିସ୍ କୁ ଯେମିତି ଖୁଲମଖୁଲା ଚାଲେଞ୍ଜ ଦେଇ ଆଖି ପଛୁଳାକେ ଲୁଟିନେଉଛନ୍ତି ଏମାନେ । ଯୋଉଠୁ ଶୁଣିବ ଆଜ୍ଞା ସବୁଠି ଚୋରି ଚୋରି ଖାଲି ଚୋରି । ସକାଳ ପାହିଲେ ଚୋରଙ୍କ କାରନାମାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । ସିସିଟିଭି ଲାଗିଥିଲେ ସୁଦ୍ଧା ଚୋରଙ୍କର ଆଉ ଡର ଭୟ ନାହିଁ । ଯାହାର ପୁଣି ଏକ ଭିଜୁଆଲ୍ ସାମ୍ନାକୁ ଆସୁଛି ।
ଘରେ ନଥିଲେ କେହି । ହେଲେ ଜଗିଥିଲା ସିସି କ୍ୟାମେରା । କିନ୍ତୁ କଣ ଲାଭ ଚୋର ମନସ୍ଥିର କରିଛି ମାନେ ଚୋରି କବିବାଟା ଥୁଆ । ତେଣୁ ସିସି କ୍ୟାମେରା ଲାଗିଲେ କେତେ ନଲାଗିଲେ କେତେ । ଭିଜୁଆଲ୍ ରେ ଯାହା ଦେଖିବାକୁ ମିଳିଛି ପ୍ରଥମେ ଚୋର ଜଣକ ନିଜ ମୁହଁ ଲୁଚାଇ ଘର ଭିତରେ ପଶୁଛି ଆଉ ସିସି କ୍ୟାମେରା ଲାଗିଥିବା ଦେଖି କ୍ୟାମେରାକୁ ଏକ ଗାମୁଛାରେ ଘୋଡାଇ ଦେଉଛି । ତାପରେ ଯାହା ଘଟଣା ଘଟିଥିବ ଆପଣ ଅନୁମାନ କରିସାରିଥିବେ ।
କେହି ନ ଥିବାର ସୁଯୋଗ ନେଇ ଘରେ ପଶିଲେ ଦୁର୍ବୃତ୍ତ । ସିସିଟିଭି ଉପରେ ନଜର ପଡିବାରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘର ଭିତରେ ପଶି କଲେ ଲୁଟ୍ । ୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଗଡ଼ସାହି ଗାଁରେ । ଗଡ଼ସାହି ଗ୍ରାମର ନାରାୟଣ ଦାସ ବାବୁ ଗତ ୨୮ ତାରିଖ ଆଖି ଅପରେସନ ନିମନ୍ତେ ଭୁବନେଶ୍ୱର ଯାଇଥିଲେ । ଗତକାଲି ରାତିରେ ଘରେ ପହଁଚିବା ପରେ ଘର ଗେଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘର ଭିତରକୁ ଯାଇ ଦେଖିଲା ବେଳକୁ ସବୁ ଲୁଟି ନେଇଥିଲେ । ଏକଥା ଜାଣିପାରି ପୋଲିସକୁ ଖବର ଦେଇଥିଲେ ।
ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଲୁଟେରାମାନେ ଘର ଭିତରକୁ ପଶିବା ପୂର୍ବରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘରେ ପଶି ଲୁଟ୍ କରିଥିଲେ । ଘର ଭିତର ଆଲମାରି ଭାଙ୍ଗିବା ସହିତ ନଗଦ ୨୦ ହଜାର ରୁ ଊର୍ଧ୍ଵ ଟଙ୍କା ସହିତ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି । ତେବେ ଏହି ଲୁଟରେ କେତେ ଜଣ ଲୁଟେରା ସାମିଲ ରହିଛନ୍ତି ତାହାର ତଦନ୍ତ କରୁଛି ପୋଲିସ୍ ।
ତେବେ କଷ୍ଟ ଅର୍ଜିତ ଧନରୁ କିଏ ନିଜ ପାଇଁ ଗାଡିକିଣିଥାନ୍ତି ତ କିଏ ଅଳଙ୍କାର କି ଆଉ କିଏ ନିଜ ଭବିଷ୍ୟତ ପାଇଁ ରଖିଥାନ୍ତି । ଆଉ ଗୋଟେ ଦିନରେ ଧନୀ ହେବା ଆଶାରେ ହେଉ କି କୌଣସି ନିଶା ସେବନ ପାଇଁ ହେଉ, କିଛି ଟଙ୍କା ପାଇଁ ଏଭଳି ଅବାଟକୁ ଆପଣାଇ ନେଇଥାନ୍ତି ଏଭଳି କିଛି ଲୋକ । କିନ୍ତୁ ପରର ସୁଖ ଛଡାଇ ନିଜର ସ୍ୱାର୍ଥ ପୂରଣ କରିବା କଣ ଠିକ୍ । ତେବେ ଏମାନଙ୍କୁ ସାବାଡ୍ କରିବାକୁ ଆମ ମାନଙ୍କୁ ବି ସତର୍କ ରହିବାକୁ ପଡିବ । ଯଦିବି ଘର ଛାଡି ଯାଉଛନ୍ତି ନିଜ କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ସ୍ଥାନରେ ରଖିକି ଯାଆନ୍ତୁ ।