ଜନଗହଳିପୂର୍ଣ୍ଣ ରାସ୍ତାରୁ କାର୍ କାଚ ଭାଙ୍ଗି ଲୁଟିନେଲେ ୧ ଲକ୍ଷ ଟଙ୍କା, ସୁରକ୍ଷା ଉପରେ ପ୍ରଶ୍ନବାଚୀ
ଖୋଲା ସ୍ଥାନରେ କାର୍ ପାର୍କିଂ କରୁଛନ୍ତି କି? ଯଦି ହଁ ତେବେ ହୋଇଯାନ୍ତୁ ସାବଧାନ! ନଚେତ ହରାଇପାରନ୍ତି ନିଜର ଲକ୍ଷ ଲକ୍ଷ ଟଙ୍କା । ଦର୍ଶକବନ୍ଧୁ ଏକଥା ଶୁଣି ଆପଣମାନେ ନିଶ୍ଚୟ ଭାବୁଥିବେ ଆଜି ଆମେ ଆପଣଙ୍କୁ ଏକଥା କାହିଁକି କହୁଛୁ । ତେବେ ଏହାର କାରଣ ହେଉଛି ଆପଣଙ୍କୁ ସଚେତନ କରାଇବା ଯେଉଁଥିପାଇଁ ଆପଣ ଏଭଳି ଲୁଟରୁ ବଞ୍ଚିପାରିବେ । କାରଣ ଗତକାଲି ଦିନ ଦିପହରେ ଏକ ଜନଗହଳିପୂର୍ଣ୍ଣ ଭି-ଆଇ-ପି ରାସ୍ତାରୁ କାର କାଚ ଭାଙ୍ଗି ହୋଇଛି ଟଙ୍କା ଲୁଟ । ସେ ବି ପୁଣି ଅନୁଗୁଳ ସବ୍ ରେଜିଷ୍ଟ୍ରି ଅଫିସ ସାମ୍ନାରୁ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ଦିନକୁ ଦିନ ବଢି ଚାଲିଛି ଏହି ଲୁଟେରାଙ୍କ ଦୌରାତ୍ମ । କେତେବେଳେ କାହା ବେକରୁ ଦିନ ଦିପହରେ ସୁନା ଚେନ ଝାମ୍ପି ନେଇ ଘଟଣା ସ୍ଥଳରୁ ଖସି ପଳାଉଛନ୍ତି ତ ଆଉ କେତେବେଳେ ରାତିରେ କାହାର ଗ୍ରିଲ ଓ ତାଲା ଭାଙ୍ଗି ଲକ୍ଷ ଲକ୍ଷ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଚୋରି କରି ଖସି ପଳାଉଛନ୍ତି ଲୁଟେରା । ଆଉ କେତେବେଳେ ବନ୍ଧୁକ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ସତେ ଯେମିତି ଲୁଟେରାମାନେ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ଆଉ ଏବେ ତ ଆପଣଙ୍କ କାର୍ ବି ସୁରକ୍ଷିତ ନୁହେଁ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ…
ଜାଗା ରେଜିଷ୍ଟ୍ରି ପାଇଁ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଟଙ୍କା ଉଠାଇ କାର ଡ୍ୟାସ ବୋର୍ଡରେ ରଖିଥିଲେ । କିନ୍ତୁ କିଛି ସମୟ ପରେ କାମ ସାରି ଆସି ଦେଖନ୍ତି ତ କାରର କାଚ ଭାଙ୍ଗହୋଇଛି ଏବଂ ୧ ଲକ୍ଷ ଟଙ୍କା ମଧ୍ୟ ଗାୟବ । ଲୁଟର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଅନୁଗୋଳ ଯୁକୁବୁ ଗାଁର ସତ୍ୟବ୍ରତ ସାହୁ । ଯାହା ପରେ ସତ୍ୟବ୍ରତଙ୍କ ମୁଣ୍ଡ କାମ ଦେଇନଥିଲା ଏବଂ ତୁରନ୍ତ ପୋଲିସକୁ କଲ୍ କରିଥିଲେ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ କରିଥିଲେ ।
ଅନ୍ୟପଟେ ଦିନ ଦିପହରେ ଜନଗହଳି ପୂର୍ଣ୍ଣ ରାସ୍ତାରୁ ଏଭଳି କାରର କାଚ ଭାଙ୍ଗି ଟଙ୍କା ଲୁଟ ହେବା ପରେ ଏବେ ପୋଲିସର ସୁରକ୍ଷା ଦାୟିତ୍ୱ ଉପରେ ଉଠିଛି ପ୍ରଶ୍ନବାଚୀ । ପ୍ରତ୍ୟେକ ଦିନ ଟିଭି, ସୋସିଆଲ ମିଡିଆ ତଥା ଖବରକାଗଜରେ ଆପଣମାନେ ନିଶ୍ଚୟ ଦେଖୁଥିବେ କାରରେ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଜିନିଷ କିପରି ଚୋରି ହେଉଛି କିମ୍ବା ଚୋରମାନେ କାରର ଗ୍ଲାସ ଭାଙ୍ଗି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।
ଏଭଳି ଅନେକ ଖବର ଉପରେ ନଜିର ରହିଛି । ତଥାପି ଅନେକ ଲୋକ କାରରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖି ନିଜ କାରକୁ ଖୋଲା ସ୍ଥାନରେ ପାର୍କ କରି ଛାଡି ଚାଲିଯାଆନ୍ତି । କାରରେ କୌଣସି ମୂଲ୍ୟବାନ ଜିନିଷ ଭୁଲରେ ବି ରଖନ୍ତୁ ନାହିଁ ନଚେତ ଆପଣ ମଧ୍ୟ ଏଭଳି ଲୁଟର ଶିକାର ହୋଇପାରନ୍ତି । ତେଣୁ ସାବଧାନ ରୁହନ୍ତୁ ସତର୍କ ରୁହନ୍ତୁ ।