ଶିଳ୍ପ ମହାକୁମ୍ଭରେ ପୁଞ୍ଜି ନିବେଶ ପାଇଁ ମିଳିଲା ନୂଆ ପ୍ରତିଶୃତି, ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆସିପାରେ ପ୍ରାୟ ୨୭୫୦ କୋଟି

ଭୁବନେଶ୍ବର : ରାଜ୍ୟରେ ଅଧିକ ବିକଶିତ ହେବ ସ୍ୱାସ୍ଥ୍ୟସେବା । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ୨ହଜାର ୭୫୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ରାଜ୍ୟରେ ଆରମ୍ଭ ହେବ ୧୦୨ ଡିଜିଟାଲ୍‌ ଡିସ୍‌ପେନ୍‌ସରୀ । ଏଥିପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସମସ୍ତ ମେଡିକାଲରେ କରାଯିବ ଡାୟାଲିସିସ୍‌ ବ୍ୟବସ୍ଥା । ଖର୍ଚ୍ଚର ପରିମାଣ ରହିଛି ଶହେ କୋଟି ଟଙ୍କା । ପିପିପି ମୋଡ୍‌ରେ ୨୫ଟି ଜିଲ୍ଲାରେ ୧୦୦ରୁ ୨୦୦ଟି ବେଡ୍‌ ବ୍ୟବସ୍ଥା କରାଯିବ । ଏଥିପାଇଁ ବିନିଯୋଗ ହେବ ୧୩ ଶହ କୋଟି ଟଙ୍କା । ଝାରସୁଗୁଡ଼ାରେ ହେବ କାର୍ଡିଆକ୍‌ କେୟାର୍‌ ହସ୍ପିଟାଲ । କେୟାର୍‌ ହସ୍ପିଟାଲ ସହ MoU ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱରରେ ଟାଟା ସହଯୋଗରେ ପ୍ରତିଷ୍ଠା ହେବ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଟେକ୍‌ ଟକ୍‌ରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ସେହିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପୁଞ୍ଜି ଖଟାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବହୁ ଶିଳ୍ପପତି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧ ହଜାର ୧୭୭ କୋଟି ନିବେଶ ପ୍ରସ୍ତାବ ଆସିଛି । ସି-ଫୁଡ୍‌ ପ୍ରୋସେସିଂକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ହେବ ୬୦୦ କୋଟି ଟଙ୍କା । ସେହିପରି ଟେକ୍ସଟାଇଲ ଓ ଆପାରେଲ୍‌ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଫ୍ୟାସନ୍‌ ୬୬ ଶହ କୋଟି, ସାହି ଏକ୍ସପୋର୍ଟସ ୫୧ କୋଟି ଓ ୱାଇଲ୍ଡ ଲୋଟସ୍‌ ଫ୍ୟାସନ ୨୦ କୋଟି ଟଙ୍କା ନିବେଶ କରିବ । ଏହାଦ୍ୱାରା ରାଜ୍ୟରେ ୬ ହଜାର ୫ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଥିଲା ସ୍କିଲ୍‌ ଇନ୍‌ ଓଡ଼ିଶା, ସ୍କିଲ୍‌ ଫର୍‌ ଫ୍ୟୁଚର୍‌ ଅଧିବେଶନ । ଦକ୍ଷତା ବିକାଶକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସୁଜିକି ମୋଟର୍ସ ଓ ଟେକ୍‌ ମହେନ୍ଦ୍ରା ସହ ବୁଝାମଣା କରିଛନ୍ତି ସରକାର । କଣ୍ଟ୍ରି ପାର୍ଟନର ଭାବରେ ସହଯୋଗର ହାତ ବଢ଼ାଇଛି ଜାପାନ । ଆସନ୍ତାକାଲି ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଅଧିବେଶନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.