ଭଦ୍ରକ ପୋଲିସ ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ, ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରେ ଥାନା ଭିତରେ ସ୍ବାମୀକୁ ନିସ୍ତୁକ ମାଡ଼

ଭଦ୍ରକ: ଥାନାରେ ଯୁବକଙ୍କୁ ମାଡ଼ । ଭଦ୍ରକ ପୋଲିସ ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି । ଭଦ୍ରକ ସହରାଞ୍ଚଳ ଥାନା ଭିତରେ ସ୍ବାମୀଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ପୋଲିସ ପ୍ରଥମେ ପଶିଥିବା ବେଳେ ପରେ ହାଜତ ମଧ୍ୟରେ ମାଡ ମାରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ ଗତ ୫ ତାରିଖରେ ମୋଟେଲ ଛକ ନିକଟରେ କୌଣସି କାରଣକୁ ନେଇ ଜୀବନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସ୍ବାମୀ-ସ୍ତ୍ରୀଙ୍କ ଗଣ୍ଡଗୋଳରେ ହସ୍ତକ୍ଷେପ କରିଥିଲେ ମହିଳା କନେଷ୍ଟବଳ । ବିବାଦର ସମାଧାନ କରିବାବେଳେ ଜୀବନ ମହିଳା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିବା ସହ ଇଟା ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଫଳରେ ମହିଳା କନେଷ୍ଟବଳ ଜଣଙ୍କ ଜୀବନଙ୍କୁ ମାଡ଼ ମାରିବା ସହ ପିସିଆରକୁ ଫୋନ କରି ଡାକିଥିଲେ । ଏହାପରେ ପୋଲିସ ଜୀବନଙ୍କୁ ଥାନାକୁ ଆଣିଥିଲେ । ପର ଦିନ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ଦେଖା କରିବାକୁ ଯାଇଥିବାବେଳେ ଦେହ ସାରା ମାଡ଼ ଚିହ୍ନ ଥିବା ଦେଖିଥିଲେ । ପରେ ତରବରିଆ ଭାବେ ପୋଲିସ ଜୀବନଙ୍କୁ ରାତି ଅଧରେ ମେଡିକାଲରୁ କୋର୍ଟ ଚାଲାଣ କରିଥିବା ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । କିନ୍ତୁ ଅଭିଯୋଗ ନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପଟେ ଜୀବନ ଥାନାରେ ଥିବା ସମୟରେ ପ୍ରଥମେ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିଲେ । ପ୍ରଥମ ଥର ଭେଟିବାକୁ ଦିଆଯାଇଥିଲେ ମଧ୍ୟ ଦ୍ବିତୀୟ ଥର ଭେଟିବାକୁ ପୋଲିସ ଅନୁମତି ଦେଇ ନ ଥିଲା ବୋଲି ଜୀବନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ସେହିପରି ଜୀବନଙ୍କ ବିପି ଓ ସୁଗାର ସମସ୍ୟା ରହିଥିବା ବେଳେ ପୋଲିସ ବର୍ବରତା ନିନ୍ଦନୀୟ ବୋଲି ସେ କହିଛନ୍ତି ।
ଆହୁରି ପଢ଼ନ୍ତୁ : ଗଛରେ ପିଟି ହେଲା କାର, ଚାଳକ ମୃତ, ଚାରି ଗୁରୁତର