ଆମେ ବି କିଛି କମ୍ ନୁହେଁ: ଗୋ ପାଳନ ସହ ଛେନା ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ୧୩ଜଣ ମହିଳା

ଜଳେଶ୍ବର(କେନ୍ଯୁଜ୍): ପର୍ବପର୍ବାଣୀ ହେଉ ଅବା ବାହାଘର ,ବ୍ରତଘର ସବୁଠି ଆବଶ୍ୟକ ପଡିଥାଏ ମିଠା।ଏମିତିକି କୌଣସି ଶୁଭ କାର୍ଯ୍ଯରେ ମୁହଁ ମିଠା କରିବା ପାଇଁ ଦରକାର ହୋଇଥାଏ ମିଠା। ଆଉ ଏହି ମିଠା  ଯୋଉଁ ଛେନାରୁ ତିଆରି କରାଯାଏ ସେହି ଛେନାକୁ ପ୍ରସ୍ତୁତ କରି ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି ବସ୍ତା ବ୍ଲକ ଅନ୍ତର୍ଗତ ଆମ୍ବକୁଡୁଚି ଗ୍ରାମର ଶିବ ଶଙ୍କର ସ୍ବୟଂ ସହାୟକ ଗୋଷ୍ଠୀର ୧୩ ଜଣ ମହିଳା। ଗୋ ପାଳନ କରିବା ସହ ଛେନା ପ୍ରସ୍ତୁତ କରି ଏମାନେ ହୋଇପାରିଛନ୍ତି ସ୍ବାବଲମ୍ବୀ ।

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ଆମ୍ବକୁଡୁଚି ଗାଁ। ଏହି ଗାଁରେ ପାଖାପାଖି ୩୦୦ ଗୋପାଳ ( ଗୈାଡ) ପରିବାର ବସବାସ କରନ୍ତି। ଗୋ ପାଳନ କରିବା ଏବଂ କ୍ଷୀର ରୁ ଛେନା ଉତ୍ପାଦନ କରିବା ହେଉଛି ସେମାନଙ୍କ କୁଳ ବେଉସା।ଏହି କୁଳ ବେଉସାକୁ ନେଇ ବେଶ ସଫଳ ହୋଇ ପାରିଛନ୍ତି ଗ୍ରାମର ୧୩ ଜଣ ମହିଳା।ଏହି ମହିଳା ମାନେ ଶିବ ଶଙ୍କର ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଛେନା ରୁ ତିଆରି କରୁଛନ୍ତି ରସଗୋଲା ସମେତ ଭଳିକି ଭଳି ମିଠା ଏବଂ ପନିର । ସେମାନେ ପ୍ରଥମେ ଗ୍ରୁପ୍ ଗଠନ କରି ଗ୍ରୁପ୍ ମାଧ୍ୟମରେ ମାସକୁ ୧୦୦ଟଙ୍କା ଲେଖାଏଁ ସଞ୍ଚୟ କରି ୧୦ଟି ଗାଈ ପାଳନ କରିଥିଲେ। ଆଉ ଗାଇ କ୍ଷୀରରୁ ଛେନା ପ୍ରସ୍ତୁତ କରି ବିକ୍ରି କରିବା ସହିତ ବଳକା କ୍ଷୀର କୁ ବିକ୍ରୀ କରିଥାନ୍ତି। ଏହାପରେ ସେମାନେ ଛେନାରୁ ପନିର, ରସଗୋଲା, ଦହି,ଖୁଆ ଏବଂ ଭଳିକି ଭଳି ମିଠା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ରସଗୋଲା , ଛେନା,ଖୁଆ,ଦହି, ପନିର ବାଲେଶ୍ଵର ସମେତ ଭଦ୍ରକ, ମୟୂରଭଞ୍ଜ ଏବଂ ପଡୋଶୀ ପଶ୍ଚିମବଙ୍ଗରେ ମଧ୍ଯ ବିକ୍ରି ହେଉଛି।

ଏହା ସହିତ ସ୍ଥାନୀୟ ଲୋକଙ୍କ ଠାରୁ ଅର୍ଡର ନେଇ ରସଗୋଲା,ଛେନା, ପନିର, ଦହି ଆଦି ପ୍ରସ୍ତୁତ କରି ଦେଇଥାନ୍ତି। ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଠାରୁ ଛେନା କିଣି ନେଇ ଦୋକାନୀ ମାନେ ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତ କରି ଗ୍ରାହକମାନଙ୍କୁ ପରଶି ଥାନ୍ତି।ପ୍ରାକୃତିକ ଉପାୟରେ କେବଳ କ୍ଷୀରରୁ ଛେନା ପ୍ରସ୍ତୁତ ହେଉଥିବାରୁ ଖୁବ ସ୍ବାଦିଷ୍ଟ ହେବା ସହ ବଜାର ରେ ଏହାର ଚାହିଦା ଅଧିକ ରହିଛି

ଏହି କାର୍ଯ୍ଯ ଦ୍ବାରା ଗୋଷ୍ଠୀର ମହିଳା ମାନେ ମାସକୁ ୩୦ ରୁ ୪୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଯାହା ଫଳରେ ସେମାନେ ନିଜର ଆବଶ୍ୟକତା ପାଇଁ ଆଉ କାହା ଉପରେ ନିର୍ଭର କରୁନାହାନ୍ତି। ଏହା ସହିତ ଅବସର ସମୟକୁ ଅପବ୍ୟୟ ନକରି ଦି ପଇସା ରୋଜଗାର କରିବା ସହ ସଙ୍ଘର ମହିଳା ମାନଙ୍କ ସହିତ ହସ ଖୁସିରେ ସମୟ କଟାଇ ପାରୁଛନ୍ତି ବୋଲି କହିଛନ୍ତି।

ଯଦି ସରକାର କିଛି ଏମାନଙ୍କୁ କିଛି ସହାୟତା ଯୋଗାଇ ଦିଅନ୍ତି, ତାହାହେଲେ ଏହି ସଙ୍ଘର ମହିଳା ମାନେ ଅଧିକ ମହିଳାଙ୍କୁ ସାମିଲ କରି ଅଧିକ ରୋଜଗାର କରିପାରନ୍ତେ । ତେବେ ଏ ସମ୍ପର୍କରେ ବାଲେଶ୍ବର ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ପଚାରିବାରୁ ସେମାନଙ୍କୁ ଉନ୍ନତ୍ତ ମାନର ଛେନା ଏବଂ ପନିର ପ୍ରସ୍ତୁତ୍ତ ପାଇଁ ମେସିନ ଯୋଗାଇବା ଏବଂ ସବସିଡ୍ ବ୍ଯବସ୍ଥା କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ମହିଳାଙ୍କୁ ଆଉ ଅବଳା କି ଦୁର୍ବଳା ଭାବିବା ଉଚିତ ନୁହେଁ।  ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଆଜି ସେମାନେ ପ୍ରତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହିତ ପରିବାର ଚଳାଇବାରେ ସଫଳ ହୋଇଛନ୍ତି।

 ଜଳେଶ୍ବରରୁ ରାଧାଗୋବିନ୍ଦ ଦାସଙ୍କ ରିପୋର୍ଟ, କେନ୍ଯୁଜ୍