ଠିକ୍ ଆଜକୁ ୧୩ ବର୍ଷ ତଳେ…ଯାଜପୁର ରୋଡ ରେଳ ଷ୍ଟେସନରେ ଘଟିଥିଲା ଭୟଙ୍କର ଦୁର୍ଘଟଣା

କେନ୍ୟୁଜ୍ : ଠିକ୍ ଆଜକୁ ୧୩ ବର୍ଷ ତଳେ ଏହି ଓଡ଼ିଶାର ଯାଜପୁର ଜିଲ୍ଲାରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଟ୍ରାକ ବଦଳାଇବା ସମୟରେ ହାଓ୍ୱଡାରୁ ଚେନ୍ନାଇ ଅଭିମୁଖେ ଆସୁଥିବା କୋରୋମଣ୍ଡଳ ଏକ୍ସପ୍ରେସର ୧୩ଟି ବଗି ଖସିଯିବା ଫଳରେ ୧୬ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସହିତ ୧୬୧ ଜଣ ଆହତ ହୋଇଥିଲେ। ଦ୍ରୁତ ଗତିରେ ଆସୁଥିବା ସମୟରେ କୋରୋମଣ୍ଡଳ ଏକ୍ସପ୍ରେସର ୧୩ଟି ବଗି ଠିକ୍ ଯାଜପୁର ରୋଡ ରେଳ ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ଲାଇନଚ୍ୟୁତ ହୋଇଯାଇଥିଲା। ଯାହା ଜଣାପଡିଥିଲା ୧୩ ଟି ବଗି ମଧ୍ଯରୁ ୧୧ଟି ସ୍ଳିପର୍ ଏବଂ ୨ଟି ଜେନେରାଲ୍ ବଗି ରହିଥିଲା ।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂତ୍ର ଅନୁଯାୟୀ, ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନା ଏବଂ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ଯ ପାଇଁ ଏକ ବଡ ଅପରେସନ୍ କରାଯାଇଥିଲା । ମେଡିକାଲ୍ ଟିମ୍ ସହ ଅନେକ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇ ଯାଜପୁର, କଟକ ସହ ଆଖପାଖ ଜିଲ୍ଲା ହସ୍ପିଟାଲକୁ ଆହତ ମାନଙ୍କୁ ପଠାଯାଇଥିଲା। ଉଚ୍ଚ-ଯାନ୍ତ୍ରିକ ଯନ୍ତ୍ରପାତି ସହିତ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ODRAF) ଦଳ ଯୋଗ ଦେଇଥିଲେ। ସନ୍ଧ୍ୟା ୭ଟା ୩୦ରୁ ୭ଟା ୪୦ମିନିଟ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଖୁବ୍ କଷ୍ଟସାଧ୍ଯ ହୋଇଥିବା କହିଥିଲେ ସେତେବେଳର ପୋଲିସ୍ ଅଧୀକ୍ଷକ (ରେଳବାଇ) ଥିବା ନୀରଜ ସ୍ବାଇଁ ।

ଏହି ଦୁର୍ଘଟଣା ପରେ ତତକାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୫୦,୦୦୦ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୧୦,୦୦୦ ଟଙ୍କା ଘୋଷଣା କରିଥିଲେ।

ପୁଣି ସେହି ଯାଜପୁରରେ ଘଟିଲା ଭୟଙ୍କର ଦୁର୍ଘଟଣା:

ଭଦ୍ରକ ଓ ଯାଜପୁର ରୋଡ଼ ମଝିରେ ରହିଥିବା କୋରେଇ ଷ୍ଟେସନରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏଇ ଛୋଟିଆ ଷ୍ଟେସନ୍‌ ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି । ସକାଳୁ ଭଦ୍ରକ ଡିଏମ୍‌ୟୁରେ କଟକ ଭୁବନେଶ୍ୱର ଆଦି ଅଞ୍ଚଳକୁ ଯିବା ଆସିବା କରିଥାନ୍ତି ।

ହେଲେ ଟ୍ରେନ୍‌ ଆସିବାର ସମୟ ହୋଇ ନଥିବାରୁ ଅନେକ ଯାତ୍ରୀ ପହଞ୍ଚି ନଥିଲେ । ଆଉ ଯେଉଁମାନେ ଥିଲେ ସକାଳ ୬ଟା ୪୦ ମିନିଟ୍‌ରେ ଘଟିଥିବା ଏଇ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ । ଯିଏ ପ୍ରତ୍ୟକ୍ଷଦର୍ଶୀ ସାଜିଥିଲେ ସେମାନଙ୍କ ଲୋମ ଟାଙ୍କୁରି ଉଠୁଛି ଘଟଣା ସମ୍ପର୍କରେ କହିବା ବେଳେ। ଯାହା ସୂଚନା ମିଳିଛି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ପାଞ୍ଚ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.