ଚାଷୀ ଭାଇଙ୍କ ପାଇଁ ଖୁସି ଖବର: ଏଥର ଆଗୁଆ ଆସୁଛି ମୌସୁମୀ

ଭୁବନେଶ୍ବର(କେନ୍ୟୁଜ୍):  ଏଥର ଆଗୁଆ ଆସିବ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମେ ୧୫ ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି । ପ୍ରତିବର୍ଷ ମୌସୁମୀ ପ୍ରାୟତଃ ଜୁନ୍‌ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ । ଏବର୍ଷ ସପ୍ତାହେ ଆଗରୁ ଛୁଇଁପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବରେ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ସୂଚନା ନାହିଁ । ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ ପରିୟଡ୍‌ ଆଭରେଜ ବର୍ଷା ପରିମାଣ ୯୯ ପ୍ରତିଶତ ଆକଳନ କରାଯାଇଛି ।

ବଙ୍ଗୋପସାଗରରେ ବାତ୍ୟା ଅସାନିର ଅବଶିଷ୍ଟାଂଶ ଦୁର୍ବଳ ହୋଇ ଆଜି େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଲଘୁଚାପର ରୂପ ନେବ । ସମୁଦ୍ର ଅଶାନ୍ତ ରହୁଥିବାରୁ ଆଉ ୨୪ ଘଣ୍ଟା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବାତ୍ୟା ପଳାଇଛି । ଆଗକୁ ରାଜ୍ୟରେ ବଢ଼ିବ ତାତି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୩ରୁ ୪ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ବା ଅଧିକ ରହିପାରେ ।

Leave A Reply

Your email address will not be published.