ଲଗାଣ ବର୍ଷାରେ ଭାଙ୍ଗିଗଲା ଝାଟିମାଟି ଘର, କାନ୍ଦି କାନ୍ଦି ନାକେଦମ୍ ବୃଦ୍ଧା

ମାଲକାନଗିରି: ବାହୁନି ବାହୁନି କାନ୍ଦୁଛନ୍ତି ବୃଦ୍ଧା ଜଣଙ୍କ । ଥମିବାର ନା ଧରୁନାହାନ୍ତି । ହେଲେ କାହିଁକି, କଣ ହେଇଛି ୟାଙ୍କର? ଯାହା ସୂଚନା ମିଳିଛି କି ବୃଦ୍ଧା ଜଣଙ୍କ ହେଉଛନ୍ତି ମାଲକାନଗିରି ଜିଲ୍ଲା ଅଣ୍ଡାହାଲ ପଞ୍ଚାୟତ ଅନ୍ତର୍ଗତ ବଡ଼ବେଲ ଗ୍ରାମର ସୁକ୍ରି ବଡ଼ନାୟକ ।

ତେବେ ମାଲକାନଗିରି ଜିଲ୍ଲାରେ ଏବେ ଲଗାଣ ବର୍ଷା ଲାଗି ରହିଛି । ଦୁର୍ଗମ ଅଞ୍ଚଳ ବଣ୍ଡାଘାଟିରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଥିସହିତ ବହୁତ କ୍ଷୟକ୍ଷତି ହୋଇଛି । କହିବାକୁ ଗଲେ ଏହି ଲଗାଣ ବର୍ଷାରେ ବଣ୍ଡାଘାଟି ପୁରା ବେହାଲ ହୋଇପଡିଛି । ଭାଙ୍ଗିଯାଇଛି ଅନେକ ଘର ଦ୍ୱାର । ତେବେ ଏହାରି ଭିତରେ ଏହି ବୃଦ୍ଧାଙ୍କର ଘର ବି ପ୍ରବଳ ବର୍ଷା କାରଣରୁ ଭାଙ୍ଗିଯାଇଛି । ଯାହାଫଳରେ ପରେ ଘରେ ଆଶ୍ରୟ ନେଇଛନ୍ତି ବୁଢୀ ମାଆ’ ଓ ତାଙ୍କ ଝିଅ ।

ଯାହାକୁ ନେଇ ଦୁଃଖରେ ବୃଦ୍ଧା ଜଣଙ୍କ ନିଜ ଭଙ୍ଗା ଘର ଆଗରେ ବସି କାନ୍ଦୁଛନ୍ତି । ଯାହାର ଭିଡିଓ ପାଖରେ ଥିବା ଜଣେ ଯୁବକ ନିଜ ମେବାଇଲରେ କଏଦ କରିଛନ୍ତି । ଯାହା ଏବେ ଭାଇରାଲ୍ ହେଉଛି । ଗତ ସୋମବାର ଦିନ ଲଗାଣ ବର୍ଷା ଯୋଗୁଁ ଝାଟିମାଟି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ସହ ଘରେ ଥିବା ଧାନ, ଚାଉଳ ସମେତ ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ବୃଦ୍ଧାଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବର୍ତ୍ତମାନ ଘରେ ସୁକ୍ରି ଏବଂ ତାଙ୍କ ଝିଅ ବୁଦାଇ ରହିଛନ୍ତି । ତେବେ ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବାରୁ ଝିଅ ସହ ପର ଘରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଭୋକ ଉପାସରେ ଦିନ କାଟିବାକୁ ପଡ଼ୁଛି ବୋଲି ବାହୁନୀ ବାହୁନି କାନ୍ଦି କାନ୍ଦି ନିଜର ଦୁଃଖ ଜଣାଉଛନ୍ତି ସୁକ୍ରି । ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ସହାୟତା ପ୍ରଦାନ କରାଗଲେ ବେଶ ଉପକୃତ ହୋଇଥାନ୍ତେ ପରିବାରଟି ।

ସମୁଦ୍ର ପତନଠାରୁ ପ୍ରାୟ ୫ ହଜାର ଫୁଟ ଉପରେ ଥିବା ବଣ୍ଡାଘାଟିରେ ପ୍ରାୟ ମାସେ ହେବ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବଣ୍ଡାଘାଟି ଉପରେ ଥିବା ଦୁଇଟି ପଞ୍ଚାୟତର ୩୨ ଖଣ୍ଡ ଗ୍ରାମର ଲୋକେ ଦୁର୍ବିସହ ଜୀବନ ବିତାଉଛନ୍ତି । ଏଥିସହ ରାସ୍ତାଘାଟ ସବୁ ପାହାଡ଼ ପାଣିରେ ଧୋଇ ନଷ୍ଟ ହୋଇଯାଇଛି । ଲୋକେ ନିଜ ନିଜ ଘରୁ ବାହାରି ନପାରିବାରୁ ଜୀବିକା ହରାଇଛନ୍ତି । ବର୍ଷାରେ ଫସଲ ମଧ୍ୟ ଧୋଇ ହୋଇଯାଇଛି । କେବଳ ସୁକ୍ରି ନୁହଁନ୍ତି ବଣ୍ଡାଘାଟିରେ ଅନେକ ଲୋକଙ୍କ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।