ଭଦ୍ରକ: ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ମାସ ହେଲା ଟୋଲ ଗେଟରେ ଅଚଳାବସ୍ଥା । ଯାହାକୁ ନେଇ ଲାଗିରହିଛି ଉତ୍ତେଜନା । ତେବେ ଏସବୁର ସମାଧାନ ପାଇଁ ଟୋଲଗେଟ କତୃପକ୍ଷ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । ଯାହାକୁ ନେଇ ବିବାଦ ଏବେ ଉଗ୍ର ରୂପ ନେଇଛି । ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ଛାତବର ନିକଟରେ ଥିବା ନାରାୟଣପୁର-ଭାଗଡା ଟୋଲ ଗେଟରେ ।
ସେଠାରେ ଥିବା ଠିକା ସଂସ୍ଥା ଓ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଧାରଣାକୁ ନେଇ ଏବେ ବିବାଦ ଦେଖା ଦେଇଛି । ଏହି ଟୋଲ ପ୍ଲାଜାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭିତରୁ ୭୦ରୁ ଅଧିକ କର୍ମଚାରୀ ସରକାରଙ୍କର ନିୟମ ଅନୁଯାୟୀ ଦରମା ପ୍ରଦାନ, କର୍ମଚାରୀଙ୍କର ଡ୍ରେସ କୋର୍ଡ, ଇପିଏଫ୍,ଇଏସଆଇ ସମେତ ଅନ୍ୟାନ୍ୟ ସୁବିଧା ସହଯୋଗ ଦେବା ପାଇଁ ଦାବି କରିଛନ୍ତି । ଏପରିକି ଗତ ମାସ ୧୪ତାରିଖରେ ଠାରୁ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଛନ୍ତି ।
ଏହି ଖବର ପାଇ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ଓ ଭଣ୍ଡାରିପୋଖରୀ ବିଧାୟକ ପହଁଚି ଟୋଲ ଗେଟ ଦାୟିତ୍ୱ ରେ ଥିବା କମ୍ପାନୀ କତୃପକ୍ଷ ସହିତ ଆଲୋଚନା କରି ଏ ଦିଗରେ ଆବଶକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ କମ୍ପାନୀ ପ୍ରତିଶୃତି ଦେବା ପରେ ୨୯ତାରିଖରେ ଧାରଣାରୁ ଓହରିଯାଇଥିଲେ କର୍ମଚାରୀ । ତେବେ ପ୍ରତିଶୃତି ମୁତାବକ କମ୍ପାନୀ କତୃପକ୍ଷ ଦାବି ପୂରଣ ନ କରିବାରୁ ପୁଣି ୧ ତାରିଖରୁ ଧାରଣାରେ ବସିଛନ୍ତି କର୍ମଚାରୀ । ଫଳରେ ଟୋଲ ଗେଟରେ ଅଚଳାବସ୍ଥା ଦେଖାଯାଉଛି । ଏପରିକି ସଂଖ୍ୟାଧିକ କର୍ମଚାରୀ ନିଜର ହକ ଦାବି କରି କାମ ବନ୍ଦ କରିଥିବା ବେଳେ ଅନ୍ୟ କିଛି କର୍ମଚାରୀ କାମ କରୁଛନ୍ତି । ଯାହାକୁ ନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
ସେହିପରି ଭାବେ ଏହି ଟୋଲ ପ୍ଲାଜାରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀ ମାନେ ଠିକା ସଂସ୍ଥା କୁ କାର୍ଯ୍ୟରେ ସହଯୋଗ କରି ଟୋଲ ଗେଟ ଚଳାଇଛନ୍ତି । କମ୍ପାନୀ ସବୁ ସୁବିଧା ଯୋଗାଇ ଦେଇଥିବା କହିଛନ୍ତି । ଧାରଣା ବସିଥିବା କର୍ମଚାରୀ ମାନେ ସବୁ ସୁବିଧା ପାଇବା ପରେ ମଧ୍ୟ କାର୍ଯ୍ୟରେ ସହଯୋଗ କରୁ ନଥିବା ନେଇ ସେମାନେ ଓଲଟି ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କ ରେ ସମ୍ପୃକ୍ତ କମ୍ପାନୀର ମ୍ୟାନେଜରଙ୍କୁ ପଚାରିବାରୁ ସେ କହିଛନ୍ତି ଟୋଲ ପ୍ଲାଜାରେ ମୋଟ ୭୬ ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ଏବେ ସେଠାରେ ୧୭୦ଜଣ କର୍ମଚାରୀ ରହିଛନ୍ତି । ସେମାନଙ୍କୁ ମାସକୁ ଦରମା ସହିତ ଟୋଲ ପ୍ଲାଜାରେ ଆସୁଥିବା ଓଭର ଲୋଡିଂ ଟଙ୍କାକୁ ସରକାରୀ ସ୍ତରରେ ଡିପୋଜିଟ କରିବା ପରେ ଯାହା ବଳେ ତାହାକୁ ଏହି କର୍ମଚାରୀ ମାନଙ୍କୁ ଦରମା ହିସାବରେ ଦିଆ ଯାଉଛି ।
ତେବେ ଅଧିକ ସଂଖ୍ୟାରେ କର୍ମଚାରୀ ପୂର୍ବରୁ ରହି ଆସିଥିବାରୁ ସେମାନଙ୍କୁ ବାହାର କରି ହେଉନାହିଁ । ତେଣୁ ସେମାନେ ଏପରି ଆନ୍ଦୋଳନ କରୁଛନ୍ତି । ଏହା ଦ୍ୱାରା ଦୈନିକ ଟୋଲ ଗେଟ କ୍ଷତିରେ ଚାଲୁଛି ବୋଲି କହିଛନ୍ତି । ଏହି ବିବାଦ ଦିନକୁ ଦିନ ବଢୁ ଥିବା ସହିତ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉ ଥିବାରୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କ ତରଫରୁ ଉଭୟ ଧାରଣାରେ ବସିଥିବା କର୍ମଚାରୀ ଓ କମ୍ପାନୀ କତୃପକ୍ଷ ଙ୍କ ସହିତ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଟୋଲ ପ୍ଲାଜାରେ ଲାଗିଥିବା ବିବାଦକୁ ଶୀଘ୍ର ସମାଧନ କରାଯିବାକୁ ସମସ୍ତେ ଦାବି କରିଛନ୍ତି ।