ଗାନ୍ଧୀଙ୍କୁ ଧୋତି ପିନ୍ଧିବା ପାଇଁ ପ୍ରେରଣା ଦେଇଥିଲା ଓଡିଶା

୧୫୦ ତମ ଜୟନ୍ତୀ ଅବସରରେ ଶହେ ବର୍ଷ ତଳର ସ୍ମୃତିକୁ ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ୧୯୨୧ କାଠଯୋଡି ବାଲିରେ ଗାନ୍ଧିଜୀଙ୍କ ସଭାର ଯେଉଁ ମଞ୍ଚ ରହିଥିଲା ତାହାର ଅବିକଳ ଚିତ୍ରକୁ ବ୍ରୋଞ୍ଚରେ ପ୍ରତିଫଳିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ। ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ପ୍ରଥମ ଓଡିଶା ଗସ୍ତରେ ଆସିଥିଲେ। କସ୍ତୁରବାଙ୍କ ସହ କଟକ ରେଳ ଷ୍ଟେସନରେ ଓହ୍ଲାଇବା ପରେ ପହଁଚିଥିଲେ କାଠଯୋଡି ନଦୀ ପଠାରେ। ୫୦ହଜାରରୁ ଉର୍ଦ୍ଧ୍ୱ ଓଡିଶାବାସୀ ସ୍ୱାଗତ କରିଥିଲେ ଗାନ୍ଧିଜୀଙ୍କୁ। ଇତିମଧ୍ୟରେ ୧୦୦ ବର୍ଷ ବିତିଗଲାଣି।

ଏହି କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି କଟକ କାଠଗଡା ସାହର ଶିଳ୍ପୀ ଲକ୍ଷ୍ମୀଧର ରଣା ଓ ଶ୍ରୀକାନ୍ତ ରଣାଙ୍କୁ। ୨୦ ଫୁଟ ଦୈର୍ଘ୍ୟ ଓ ୧୦ ଫୁଟ ପ୍ରସ୍ତର ଏହି ଥ୍ରୀଡି ବ୍ରୋଞ୍ଚ ପ୍ରତିକୃତିରେ ବ୍ୟୟ ହେବ ପ୍ରାୟ ୩୫ ଲକ୍ଷ ଟଙ୍କା। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି କାର୍ଯ୍ୟର ବ୍ୟୟବରାଦ କରିଛନ୍ତି। ଇତିମଧ୍ୟରେ ମାଟି କାମ ଶେଷ ହୋଇଛି। ରାଜ୍ୟ କାହିଁକି ସାରା ଦେଶରେ ଗାନ୍ଧିଜୀଙ୍କ ସଭାମଞ୍ଚର ଥ୍ରୀଡି ପ୍ରତିକୃତି ଏହା ପ୍ରଥମ। ଯେଉଁଥିରେ ଗାନ୍ଧିଜୀଙ୍କୁ ପଞ୍ଜାବୀ ଓ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିବ। କଟକର ଗାନ୍ଧୀଭବନ ଓ ସମାଜ କାର୍ଯ୍ୟଳୟରେ ସେହି ସମୟର ଦୁଇଟି ବିରଳ ଫଟୋ ରହିଛି। ଯେଉଁ ଫଟୋରୁ ହିଁ ତିଆରି ଚାଲିଛି ବ୍ରୋଞ୍ଚ ପ୍ରତିକୃତି।