ଓଡ଼ିଶା ମ୍ୟାପ୍‌ରେ ଅଛି ଏଇ ଗାଁ, ହେଲେ ଓଡ଼ିଆ ବୁଝୁ ନାହାନ୍ତି ଲୋକେ

ମାଲକାନଗିରି:  ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ୍‌ ରାଲେଗୋଡ଼ା ପଞ୍ଚାୟତ। ଏହି ପଞ୍ଚାୟତର ସୁଆପାଲ୍ଲୀ ଗାଁ। ଯେଉଁଠିକୁ କେବଳ ପାଦରେ ଚାଲି ଚାଲି ଯିବାକୁ ହୁଏ । ପୁଣି ପାଦେ ପାଦେ ରହିଛି ବିପଦ । ଏହି ଅଞ୍ଚଳର ପ୍ରାୟ ୨୫ ଖଣ୍ଡ ଗାଁ ଏଭଳି ବିଚ୍ଛିନ୍ନ ଅବସ୍ଥାରେ ରହିଛି । ଯେଉଁଠି  କେବେ ପହଁଞ୍ଚି ନାହିଁ ପ୍ରଶାସନ। ଓଡ଼ିଶା ସୀମାନ୍ତରେ ଥିବା ଏହି ଗାଁରେ କେହି ଓଡ଼ିଆ ବୁଝନ୍ତି ନାହିଁ କି ଓଡ଼ିଆ ଭାଷା କୁହନ୍ତି ନାହିଁ । ଓଡ଼ିଶା ମାନଚିତ୍ରରେ ସିନା ଅଛି ହେଲେ, ଏହି ଗାଁ ଲୋକେ ବୋଧହୁଏ ଭୁଲି ଯାଇଛନ୍ତି ସେ କଥାକୁ । କାରଣ ଏମାନଙ୍କୁ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ଉପରେ ।

ଏମାନଙ୍କ ହେଡ୍‌କ୍ୱାର୍ଟର ହେଉଛି ଚିତ୍ରକୋଣ୍ଡ । ହେଲେ ସେ ଜାଗାକୁ ଏମାନେ କେବେବି ଯାଇ ନାହାନ୍ତି । ଓଲଟା ଆନ୍ଧ୍ରର କୋରକୁଣ୍ଡା ହେଉଛି ଏମାନଙ୍କ ପାଇଁ ସବୁ କିଛି । ସେଇଠୁ ଜିନିଷପତ୍ର କିଣା, ସେଇଠି ମେଡିକାଲ କାମ ଆଦି କରାଇଥାନ୍ତି । ଗାଁରେ ନା ଅଛି ସ୍କୁଲ ନା ଅଙ୍ଗନବାଡ଼ି । କେବେବି ଶିକ୍ଷକଙ୍କୁ ଦେଖି ନାହାନ୍ତି ଏମାନେ । ଆନ୍ଧ୍ର ସହିତ ଯୋଗାଯୋଗ ଯୋଗୁଁ ଓଡ଼ିଆ ଭୁଲି ଗଲେ ଓ ଆପେଣଇ ନେଲେ ତେଲୁଗୁ ଭାଷା ।

ତେବେ ସେହି ସବୁ ଭିତରେ ଏବେବି ସେମାନେ ଆଶା ରଖିଛନ୍ତି ସ୍ଥାନୀୟ ପ୍ରଶାସନ ଉପରେ ଓ ରାଜ୍ୟ ସରକାରଙ୍କ ଉପରେ । ତେଣୁ ସେମାନଙ୍କ ଆଶାକୁ ପୂରଣ କରି ସେମାନଙ୍କୁ ଓଡ଼ିଶାର ବୋଲି ବିଶ୍ୱାସ ଦେବା ହେଉଛି ମାଲକାନଗିରି ପ୍ରଶାସନର କାମ । ଆଶା କରୁଛୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଚିତ୍ରକୋଣ୍ଡା ପ୍ରଶାସନ ଏସବୁ ଉପାନ୍ତ ଗାଁରେ ପହଞ୍ଚିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.