ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା । ମୈାଳିକ ସୁବିଧାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ନିଘଂଚ ଜଙ୍ଗଲ ଭିତରେ ଏକ ପାହାଡ ତଳେ ରହିଥିବା ଏହି ଗାଁକୁ ନାହିଁ ରାସ୍ତା,ଗାଁ ଚାରିପାଖରେ ଘେରି ରହିଛି ନାଳ ଆଉ ଯୋର । ଗାଁରେ ଜଣେ ବି ଆବାସ ଯୋଜନାରେ ସାମିଲ ହୋଇ ନଥିବା ବେଳେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ ଆଜିବି ଏମାନଙ୍କ ପାଇଁ ସାତସପନ । ଏସବୁ ଭିତରେ ପାଣି ପାଇଁ ଗାଁ ଲୋକଙ୍କୁ ଯିବାକୁ ପଡୁଛି ୩ କିଲୋମିଟର ବାଟ ।

ଅଗନା ଅଗନି ଜଙ୍ଗଲ ମଧ୍ୟରେ ରହିଛି ଏହି ଗାଁ । ଗାଁକୁ ନାହିଁ ରାସ୍ତା । ୧୦ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁକୁ ଯିବାକୁ ହେଲେ ୨ଟି ନାଳ ଗୋଟିଏ ଯୋର ପାରିହୋଇ ଘଂଚ ଜଙ୍ଗଲ ଭିତରେ ଚାଲି ଚାଲି ଯିବାକୁ ପଡିଥାଏ । ବର୍ଷା ଦିନରେ ନାଳ ସାଜେ କାଳ । ଘର କହିଲେ ଚାଳ ଛପର ଘର, ଯେଉଁ ଚାଳ ଛପର ଘରେ ରହି ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ଜିବନ ଜୀବିକା ନିର୍ବାହ କରିଥାନ୍ତି ଏମାନେ । ଏଦୃଶ୍ୟ ବୟାନ କରୁଛି ଆଜିର ଯୁଗରେ ବି ଏଭଳି ଦୟନୀୟ ଭାବେ ଜୀବନ ଅତିବାହିତ କରୁଛନ୍ତି ଏହି ଗାଁ ଲୋକ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ଗ୍ରାମପଂଚାୟତ ଅଧିନସ୍ଥ ଦେବ ଝରନ ଗାଁର କଥା । ଯେଉଁଠି ବିକାଶ ଏମାନଙ୍କ ପାଇଁ ସାତ ସପନ ହୋଇଛି । ମୈାଳିକ ସୁବିଧା ସୁଯୋଗ ଏଯାଏଁ ପହଂଚି ପାରି ନଥିବାରୁ ଚିନ୍ତାରେ ଗ୍ରାମବାସୀ । ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲାପରେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଖାଲି ଯେ ସେତିକି ତା ନୁହେଁ । ପିଇବା ପାଣି ଟିକିଏ ପାଇଁ ଗାଁଲୋକେ ବାଧ୍ୟହୋଇ ୩କିମି ବାଟ ଯୋରରୁ ପାଣି ନେଇ ଯାଉଛନ୍ତି । ପିଲା ଛୁଆଙ୍କୁ ଧରି ଚୁଆ ଖୋଳି ପାଣି ଆଣୁଛନ୍ତି । ଏଯାଏଁ ଗାଁରେ ଅଙ୍ଗନଓାଡି କେନ୍ଦ୍ର ଟିଏ ବି ଖୋଲିନାହିଁ । ଫଳରେ ପ୍ରାକ ଶିକ୍ଷାରୁ ବଂଚିତ ଏହି ଗାଁର କୁନି କୁନି କୋମଳ ମତିଶିଶୁ । ସ୍କୁଲ ଦେଖି ନଥିବା ଏଇ ଗାଁର ଛୋଟ ଛୋଟ ଛୁଆ ଶିକ୍ଷା ଦାନରୁ ବଂଚି ହେଉଛନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା,ଗମନାଗମନ,ପିଇବାପାଣି ,ବିଜୁଳି ଏମାନଙ୍କ ପାଇଁ ସାତ ସପନ । ଡିବିରି ଆଲୁଅରେ କଟୁଛି ରାତି । ଘଂଚ ଜଙ୍ଗଲ ଥିବାରୁ ଦିନରେ ବି ବାଘ ,ହାତୀଙ୍କୁ ଦେଖିବାକୁ ମିଳିଥାଏ । ହେଲେ ଏଯାଏଁ ବନ୍ୟଜନ୍ତୁ କାହାରି କିଛି କ୍ଷତି କରି ନାହାନ୍ତି । ଦୁଖର କଥା ଆଜି ପର୍ଯ୍ୟନ୍ତ ଗାଁକୁ କୈାଣସି ସରକାରୀ ବାବୁଙ୍କ ପାଦ ପଡିନାହିଁ । କେବେ ଗାଁଲୋକେ ସରକାରୀ ଯୋଜନାରେ ସାମିଲ ହେବେ । ମୈାଳିକ ସୁବିଧା ଏମାନଙ୍କୁ ଯୋଗାଇ ଦିଆଯିବା ସେନେଇ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ସେପଟେ ସ୍ଥାନୀୟ ବିଡିଓଙ୍କୁ ଯୋଗାଯୋଗକରି ଗାଁରେ କିଭଳି ଲୋକେ ସରକାରୀ ସୁବିଧା ପାଇବେ ସେନେଇ ପ୍ରଶାସନ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.