ରଙ୍ଗ ତୂଳୀରେ ମୂର୍ତ୍ତିକୁ ଜୀବନ୍ତ ସ୍ପର୍ଶ ଦେଉଛନ୍ତି ଏହି ମହିଳା, ସ୍ୱାମୀଙ୍କ ନିକଟରୁ ଶିଖିଛନ୍ତି ମୂର୍ତ୍ତି ଗଢ଼ା
ପୁରୁଷଙ୍କୁ ପଛରେ ପକାଇ ଏହି ମହିଳା ସୁନ୍ଦର ମୂର୍ତ୍ତି ଗଢ଼ିବାରେ ପାରଙ୍ଗମ । ତାଙ୍କ ହାତ ତିଆରି ମୂର୍ତ୍ତି ଦେଖିଲେ କେହି ଜାଣି ପାରିବେନି ଯେ ଏହି ମୂର୍ତ୍ତି ଜଣେ ମହିଳା ତିଆରି କରିଛନ୍ତି ।
ସଜେଇ ହେଲାଣି ଗାଁରୁ ସହର । ଧରାରେ ଅବତରଣ କରିବେ ଦୁର୍ଗତିନାଶିନୀ ମା’ ଦୁର୍ଗା । ଚାଲିଛି ନବରାତ୍ରୀ । ଏନେଇ ଗାଁରୁ ସହର ସବୁଠି ଆନନ୍ଦ ଉଲ୍ଲାସର ମାହୋଲ ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ଶୈଳୀରେ ମା’ଙ୍କ ମୂର୍ତ୍ତି ଗଢ଼ା ଚାଲିଛି । ଆପଣ ମାନେ ତ ଜାଣିଥିବେ ସମସ୍ତ ମୂର୍ତ୍ତି ପୁରୁଷ ମାନେ ହିଁ ଗଢ଼ନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ମହିଳା ମୂର୍ତ୍ତି କାରିଗରଙ୍କ ବିଷୟରେ ଜଣାଇବୁ । ପୁରୁଷଙ୍କୁ ପଛରେ ପକାଇ ଏହି ମହିଳା ସୁନ୍ଦର ମୂର୍ତ୍ତି ଗଢ଼ିବାରେ ପାରଙ୍ଗମ । ତାଙ୍କ ହାତ ତିଆରି ମୂର୍ତ୍ତି ଦେଖିଲେ କେହି ଜାଣି ପାରିବେନି ଯେ ଏହି ମୂର୍ତ୍ତି ଜଣେ ମହିଳା ତିଆରି କରିଛନ୍ତି ।
ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଆଜି ସେ ପରିବାର ପ୍ରତିପୋଷଣ କରି ପାରୁଛନ୍ତି । ଏହି ମହିଳା ଜଣଙ୍କ ମୂର୍ତ୍ତି ତିଆରି କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ହୋଇଛନ୍ତି ଉଦାହରଣ । ରଙ୍ଗ ତୂଳୀରେ ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ସ୍ପର୍ଶ । ତେବେ ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ଏକ ନମ୍ବର ୱାର୍ଡର ଏ ହେଉଛନ୍ତି ସୁମିତ୍ରା ଡିଣ୍ଡା । ମହିଳା ମୂର୍ତ୍ତି କାରିଗର ଭାବେ ଏ ଅଞ୍ଚଳରେ ସେ ବେଶ ପରିଚିତ । ସବୁ ପ୍ରକାରର ମୂର୍ତ୍ତି ତିଆରି କରିବାରେ ସେ ପାରଙ୍ଗମ। ତାଙ୍କର ପୂର୍ବ ପୁରୁଷମାନେ ମୂର୍ତ୍ତି ତିଆରି କରୁଥିଲେ। ତେବେ ସେ ନିଜର ସ୍ବାମୀଙ୍କ ପାଖରୁ ମୂର୍ତ୍ତି କାମ ଶିଖି ଏବେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରୁଛନ୍ତି । ନିଜର କୌଳିକ ବୃତ୍ତିକୁ ବଞ୍ଚାଇବା ସହ ମୂର୍ତ୍ତି ତିଆରି କରି ବେଶ ଦୁଇ ପଇସା ରୋଜଗାର ମଧ୍ୟ କରି ପାରୁଛନ୍ତି ।
ମାଟି ଗୋଲା କରିବା ସହ ଛାଞ୍ଚରେ ମୂର୍ତ୍ତି ତିଆରି କରିବାରେ ଲାଗି ପଡିଛନ୍ତି । ଏପରି କି ବିଭିନ୍ନ ରଙ୍ଗ ଦେଇ ମୂର୍ତ୍ତି ତିଆରି କରୁଛନ୍ତି ସୁମିତ୍ରା। ବିଭିନ୍ନ ପୂଜା ଆସିଲେ ଲାଗି ପଡନ୍ତି ମୂର୍ତ୍ତି ତିଆରି କରିବାରେ । ଛୋଟ ମୂର୍ତ୍ତି ଠୁ ଆରମ୍ଭ କରି ବଡ଼ ବଡ଼ ମୂର୍ତ୍ତିକୁ ତିଆରି କରିବା ସେ ପାରଙ୍ଗମ।
ରଙ୍ଗ ଓ ତୂଳୀରେ ମୂର୍ତ୍ତିକୁ ଜୀବନ୍ତ ସ୍ପର୍ଶ ଦେଉଛନ୍ତି ସୁମିତ୍ରା। କେବଳ ଯେ ଗଣେଶ ମୂର୍ତ୍ତି ତାହା ନୁହେଁ ବରଂ ଦୂର୍ଗା ଓ କାଳୀଙ୍କ ମୂର୍ତ୍ତି ପରି ଅନେକ ମୂର୍ତ୍ତି ତିଆରି କରି ପାରନ୍ତି ସୁମିତ୍ରା । ତାଙ୍କର ମୂର୍ତ୍ତି ତିଆରି ନିଖୁଣତା ପାଇଁ ସେ ନିଜ ଅଞ୍ଚଳରେ ପ୍ରସଂସାର ପାତ୍ର ହୋଇ ପାରିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ହୋଇ ପାରିଛନ୍ତି ଉଦାହରଣ । ସୁମିତ୍ରାଙ୍କ ହାତ ତିଆରି ମୂର୍ତ୍ତି ଏତେ ସୁନ୍ଦର ହୋଇଥାଏ ଯେ ଦୂର ଦୂରାନ୍ତରରୁ ଏହି ମୂର୍ତ୍ତି କିଣିବାକୁ ଗ୍ରାହକମାନେ ଆସନ୍ତି । ସୁମିତ୍ରା ମଧ୍ୟ ମୂର୍ତ୍ତି ତିଆରି କରି ବେଶ ଖୁସି ଅଛନ୍ତି ।