ଚଳିତବର୍ଷ ରଥଯାତ୍ରା ଥିଲା ସରକାରଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ

ପୁରୀ (କେନ୍ୟୁଜ) : ଚଳିତବର୍ଷ ରଥଯାତ୍ରା ପରିଚାଳନା କରିବା ସରକାରଙ୍କ ପାଇଁ ଥିଲା ସବୁଠୁ ବଡ଼ ଚାଲେଞ୍ଜ । ଗୋଟିଏପଟେ କୋଟିକୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ ତ ଅନ୍ୟପଟେ ସୁପ୍ରିମକୋର୍ଟଙ୍କ କଟକଣା । ଏହାରି ଭିତରେ ସୁରୁଖୁରୁରେ ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ । ଆସନ୍ତୁ ନଜର ପକାଇବା କେମିତି ପୁରୀରେ ଆୟୋଜନ ଓ ପରିଚାଳନା ହୋଇଛି ରଥଯାତ୍ରା ।.

ସୁପ୍ରିମକୋର୍ଟରେ ରଥଯାତ୍ରାକୁ ନେଇ ସୁପ୍ରିମ ରାୟ ଆସିବା ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ସୀମା ନଥିଲା । ଏହାରି ଭିତରେ ଥିଲା ଅନେକ ଆଶଙ୍କା । ଏତେ କମ ସମୟରେ ଜଗାର ରଥଯାତ୍ରା କ’ଣ ସମ୍ଭବ ? କିଛି ତ୍ରୁଟି ବିଚ୍ୟୁତି ରହିଯିବନି ତ ? ବିନା ଭକ୍ତରେ ରଥଯାତ୍ରା ସମାପନ ହୋଇପାରିବ କି ? ଏଭଳି କିଛି ପ୍ରଶ୍ନ ଭକ୍ତଙ୍କ ମଧ୍ୟରେ ଥିଲା । ଏଥର ରଥଯାତ୍ରା ପରିଚାଳନା କରିବା ରାଜ୍ୟ ସରକାରଙ୍କ ଆଗରେ ଥିଲା ସବୁଠୁ ବଡ଼ ଚାଲେଞ୍ଜ । ଗୋଟିଏ ପଟେ ସୁପ୍ରିମକୋର୍ଟରେ ଚାଲିଥିଲା ଶୁଣାଣି, ଏପଟେ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି । ପୁରୀ ଯାଇ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ପରିଚାଳନା କମିଟି ଏବଂ ଛତିଶା ନିଯୋଗ ସହ ଆଲୋଚନା କରିଥିଲେ । ସୁରୁଖୁରୁରେ ସିଂହଦ୍ୱାରରେ ଲାଗିଥିଲା ତିନି ରଥ ।

ସୋମବାର ରାତି ୮ଟାରୁ ପୁରୀରେ ଲାଗିଲା କର୍ଫ୍ୟୁ । ବଡ଼ଦାଣ୍ଡକୁ ଯୋଡୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରିଥିଲା ପୋଲିସ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ କେମିତି ପାଳନ ହେବ, ଘନଘନ ବୈଠକ ବସିଲା । ଏହାରି ଭିରେ ତିନି ମନ୍ତ୍ରୀଙ୍କୁ ରଥଯାତ୍ରା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦିଆଗଲା ପରିଚାଳନା ଦାୟିତ୍ୱ । ଖୋଦ୍‌ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ । ସେହିଭଳି ପରିଚାଳନା ଓ ସୁରକ୍ଷା ଦାୟିତ୍ୱ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଗଲା ।

ସରକାରଙ୍କ ପାଖରେ ଆଉ ଏକ ଚାଲେଞ୍ଜ ଥିଲା, ଠିକ୍‌ ସମୟରେ ଠିକ୍‌ ନୀତି କରିବା । ସକାଳୁ ଠିକ୍‌ ସମୟରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ସୁପ୍ରିମକୋର୍ଟଙ୍କ ନିୟମକୁ ପାଳନ କରି ଆରମ୍ଭ ହୋଇଥିଲା ରଥଟଣା । ବଡ଼ଦାଣ୍ଡରେ ତିନି ରଥକୁ ଟାଣିନେଇଥିଲେ ସେବାୟତ ଓ ସୁରକ୍ଷାକର୍ମୀ । ଖୁବ କମ ସମୟରେଶାନ୍ତି ଶୃଙ୍ଖଳାର ସହ ଏତେ ବଡ଼ ଆୟୋଜନ କରିବା ରାଜ୍ୟ ସରକାରଙ୍କ ପାଇଁ ଥିଲା ବଡ଼ ଚାଲେଞ୍ଜ ।

Leave A Reply

Your email address will not be published.