ପିପିଲି: ରାଜଧାନୀ ଭୁବନେଶ୍ୱର ହେଉ ଅବା ଗାଁ, ସବୁ ଆଡେ ଦୋକାନ, ବଜାର । ଗଳିକନ୍ଦିରେ ଯେଉଁଠି ଦେଖିବେ ସେଠି ଫାଷ୍ଟଫୁଡ୍ ଅବା ଚଟପଟି ଖାଦ୍ୟର ପସରା । ଆଉ ସନ୍ଧ୍ୟା ହେଲେ ଏସବୁ ଦୋକାନ ଆଗରେ ଖାଦ୍ୟ ସୌଖିନ ଲୋକଙ୍କ ଭିଡ଼ ଲାଗିଯାଏ । ଫାଷ୍ଟଫୁଡ୍ କଥା କହିଲେ ମାତ୍ରକେ ଚିକେନ୍ କଥା ମନକୁ ଆସେ । ଚିକେନ୍ ବିନା କି ଫାଷ୍ଟଫୁଡ୍ । କଣ ସତ କହିଲି ନା ।
ତେବେ ଖାସକରି ଆମେ ସପ୍ତାହକ ତିନି ଦିନ ନନଭେଜ ବା ଆମିଷ ଖାଇବାକୁ ପସନ୍ଦ କରୁ । ତେବେ ଏହି ନନଭେଜରେ ମାଛ,ମଟନ,ଅଣ୍ଡା ଏବଂ ଚିକେନକୁ ଖାଇବାକୁ ବହୁତ ପସନ୍ଦ କରିଥାଉ । ତେବେ ଏବେ ଚିକେନ ପାଇଁ ନା କରିଥିବା ପୁରୀ ଜିଲ୍ଲା ପିପିଲିରେ ଦେଖିବାକୁ ମିଳିଛି କୁକୁଡ଼ା ମଡ଼କ । ହଜାର ହଜାର ସଂଖ୍ୟାରେ କୁକୁଡ଼ା ଜୀବନ ହାରୁଛନ୍ତି ।
ପିପିଲି ବ୍ଳକ ତେଇଶପୁର ପଂଚାୟତରେ ଦେଖିବାକୁ ମିଳୁଛି ଏଭଳି ଚିତ୍ର । ପଂଚାୟତର ଆବଲପୁର ଗ୍ରାମର କୁକୁଡ଼ା ଚାଷୀମାନେ ବର୍ଷ ବର୍ଷ ଧରି କୁକୁଡ଼ା ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ଏବେ ଏମାନଙ୍କ ପାଇଁ କୁକୁଡ଼ା ଚାଷ କରିବା କଷ୍ଟକର ହୋଇ ପଡିଛି ।
କୁକୁଡ଼ାକୁ ବିଭିନ୍ନ କମ୍ପାନୀ ଠାରୁ ଆଣିକି ହେଉ ଅଥବା ନିଜସ୍ଵ ଉଦ୍ୟମରେ ହେଉ ଚାଷ କରୁଥିବାବେଳେ, ଏମାଙ୍କୁ ସଠିକ୍ ସମୟରେ ଉପଯୁକ୍ତ ଭ୍ୟାକ୍ସିନ ଠାରୁ ଆରମ୍ଭ କରି ଔଷଧ ଯୋଗାଇ ଥିଲେ ବି, ଏବେ ହଜାର ହଜାର ସଂଖ୍ୟାକୁ କୁକୁଡ଼ା ଗୁଡ଼ିକ ମରି ପଡୁଛନ୍ତି । ମୁଣ୍ଡ ବୁଲାଇବା ପରେ ବାତ ମାରିବା ଭଳି ହୋଇ ଉପରକୁ ଗୋଡ଼ ଟେକି ନିମିଷକେ ମଧ୍ୟରେ ଲମାନଙ୍କର ଜୀବନ ଚାଲିଯାଉଥିବା ନେଇ ଚାଷୀମାନେ କହିଛନ୍ତି ।
ତେଇଶପୁର ପଂଚାୟତରେ ଅନେକ ଚାଷୀଙ୍କ ଅବସ୍ଥା ଏଭଳି ରହିଛି । ପ୍ରତି ମୁହୂର୍ତରେ ଚାଷୀମାନେ ସେମାନଙ୍କ ଫାର୍ମରେ କୁକୁଡ଼ା ମରୁଥିବାର ଦେଖୁଥିବାବେଳେ ଏହାକୁ କାଢି ଗାତ ଖୋଳି ପୋତୁଛନ୍ତି । ହଜାର ହଜାର ସଂଖ୍ୟାରେ କୁୁକୁଡ଼ା ମରୁଥିବାବେଳେ ଏହାର ସ୍ଥିତି ପରଖିବା ପାଇଁ ଆନିମଲ ଡ଼ିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏ ଟିମ୍ ଆବଲପୁର ଗ୍ରାମରେ ପହଂଚି ଥିଲେ । ଚାଷୀମାନଙ୍କ ଠାରୁ ରୋଗ ସମ୍ପର୍କରେ ବୁଝିବା ସହିତ କୁକୁଡ଼ାମାନେ କିଭଳି ମୃତ୍ୟୁ ବରଣ କରୁଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ ।
ଏହାପରେ ଫାର୍ମ ପରିସରକୁ ଯାଇ ବଞ୍ଚିଥିବା କୁୁକୁଡ଼ାଙ୍କ ରକ୍ତ,ମଳ,ମୂତ୍ର ଏବଂ ପାଟିରୁ ଲାଳର ନମୁନା ସଂଗ୍ରହ କରିବା ସହିତ ମଲା କୁକୁଡ଼ାକୁ ପରୀକ୍ଷା ପାଇଁ ନେଇଛନ୍ତି । ଦୁଇ ଦିନ ମଧ୍ୟରେ ଏହାର କାରଣ ଜଣାପଡ଼ିବ । ତେବେ ଯେଉଁ ଫାର୍ମମାନଙ୍କ ଏଭଳି କୁକୁଡ଼ା ମୃତ୍ୟୁବରଣ କରୁଛନ୍ତି ସେମାନେ ଆମ ସହିତ ଯୋଗଯୋଗ କରିବା ସହିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ଏହି ରୋଗ ଉପରେ ରୋକ ଲଗାଯାଇପାରିବ ।
କୁକୁଡ଼ା ଚାଷ କରୁଥିବା ଚାଷୀଙ୍କ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ, ଯେଉଁ ମାନଙ୍କର ଚାଷ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।