୧୨ ହଜାର ଟିକେଟ ପାଇଁ ପ୍ରାୟ ୩ଗୁଣ ଫ୍ୟାନ୍‌ଙ୍କ ଭିଡ଼ ଜମିଥିଲେ, କିନ୍ତୁ ନିରାଶ ହେଲେ ହଜାର ହଜାର କ୍ରିକେଟ ଫ୍ୟାନ୍ସ

କଟକ(କେନ୍ୟୁଜ୍):  ଲମ୍ବା ଲାଇନ.. ଅସହ୍ୟ ଗରମ, ଗୁଳୁଗୁଳି.. କିନ୍ତୁ ଏହାକୁ ଖାତିର ନାହିଁ। ଜୁନ ୧୨ରେ ବାରବାଟୀ ବ୍ୟାଟେଲ ଟିକେଟ ପାଇଁ ଏମିତି କିଛି ଦେଖିବାକୁ ମିଳିଛି ଷ୍ଟାଡିୟମ କାଉଣ୍ଟର ଆଗରେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବଡ଼ ଷ୍ଟାର ଆସୁନାହାନ୍ତି କଟକ। ବିରାଟ କୋହଲି ଆସୁ ନାହାନ୍ତି। ନା ରାହୁଲ ନା ରୋହିତ, କେହି ନାହାନ୍ତି। କିନ୍ତୁ କ୍ରିକେଟର କ୍ରେଜ କମିନି। ରାତି ଅଧରୁ କ୍ରିକେଟ ପ୍ରେମୀ ଟିକେଟ ପାଇଁ ଭିଡ଼ ଜମାଇଥିଲେ। କିଲୋମିଟର ବ୍ୟାପୀ ଲମ୍ବିଥିଲା ଲମ୍ବା ଧାଡ଼ି। ସକାଳ ୯ଟାରେ ଖୋଲିଥିଲା ଟିକେଟ କାଉଣ୍ଟର। କାଉଣ୍ଟର ଖୋଲିବା ମାତ୍ରେ ଉତ୍ସାହିତ ହୋଇପଡ଼ିଥିଲେ ଫ୍ୟାନ୍‌ସ। ବ୍ୟାରିକେଡ୍‌ ଭିତରେ ଟିକେଟ୍‌ ଖଣ୍ଡେ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିଲେ ହଜାର ହଜାର ଲୋକ। ସେଥିରୁ କିଏ ଟିକେଟ୍‌ ପାଇଛନ୍ତି ତ ଆଉ କିଏ ନିରାଶ ହୋଇଛନ୍ତି।

କାଉଣ୍ଟରରେ ମୋଟ ୧୨ହଜାର ୯୩ଟି ଟିକେଟ ବିକ୍ରି କରାଯିବ। ଯେତିକି ଟିକଟ ତାଠାରୁ ୨-୩ ଗୁଣ ଅଧିକ ଭିଡ଼। ଟିକେଟ ପାଇଁ ଉପୁଜିଥିଲା ଧସ୍ତାଧସ୍ତି ପରିସ୍ଥିତି। ମହିଳା ଟିକେଟ କାଉଣ୍ଟର ଆଗରେ ଠେଲାପେଲା ହେବାରୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅନ୍ୟ କାଉଣ୍ଟର ଆଗରେ ବି ସମାନ ସ୍ଥିତି। ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ମୃଦୁ ଲାଠିଚାଳନା ସହ ପାଣି ମାଡ଼ ହୋଇଥିଲା। ଅସହ୍ୟ ଗୁଳୁଗୁଳି ଓ ଗରମରେ ଆଉଟୁ ପାଉଟୁ ହେଉଥିଲେ କ୍ରିକେଟ ପ୍ରେମୀ। ଡିସିପି ପିନାକ ମିଶ୍ର ଲୋକଙ୍କୁ ପାଣି ପିଆଉଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୬ଟା ଯାଏ ହୋଇଥିଲା ଟିକେଟ ବିକ୍ରି। ଜଣେ ବ୍ୟକ୍ତି ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ କିଣିଛନ୍ତି।