ମହଙ୍ଗା ପଡ଼ିଲା ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗା, ନିଲମ୍ବିତ ହେଲେ ୩ ବିଜେପି ବିଧାୟକ

କେନ୍ୟୁଜ୍(ବ୍ୟୁରୋ):  ମହଙ୍ଗା ପଡ଼ିଲା ଚପଲ ପିଙ୍ଗା। ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗି ନିଲମ୍ବିତ ହେଲେ ୩ ବିଜେପି ବିଧାୟକ। ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ଚଳିତ ଅଧିବେଶନର ବାକି ଦିନ ପାଇଁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି। ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ୨୦୨୧ ଗୃହରେ ଗୃହୀତ ହେବା ପରେ ବିରୋଧ କରିଥିଲେ ବିଜେପି ବିଧାୟକ। ଗୃହରେ ଦେଖାଯାଇଥିଲା ଅଭାବନୀୟ ଦୃଶ୍ୟ। ବିଧାୟକ ଦେଖାଇଥିଲେ ଅଶୋଭନୀୟ ଆଚରଣ। ବିନା ଆଲୋଚନାରେ ବିଲ୍ ପାସ ହୋଇଥିବା ଅଭିଯୋଗ ଆଣି ବାଚସ୍ପତିଙ୍କ ପୋଡିୟମ ଉପରକୁ ପିଙ୍ଗିଥିଲେ ଚପଲ । ସିସିଟିଭି ଫୁଟେଜ ଯାଞ୍ଚ ପରେ ତିନି ବିଜେପି ବିଧାୟକଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି।

ବିଧାନସଭାରେ ଚପଲ ଫିଙ୍ଗା ଘଟଣାରେ ଉଦ୍‌ବେଗ ପ୍ରକାଶ କରିଥିଲେ ବିଜେଡି ଓ କଂଗ୍ରେସ। ଗୃହରେ ଯାହା ଘଟିଗଲା ତାହା ଅସାମ୍ବିଧାନିକ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ। ଇତିହାସର ଏହା ଏକ କଳଙ୍କିତ ଅଧ୍ୟାୟ ବୋଲି କହିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି। ସେପଟେ କିନ୍ତୁ ଟାଣ ଦେଖାଇଛି ବିଜେପି। ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଯାହା କରିଛି ଭୁଲ କରିନି।

ବିଧାନସଭାରେ ବିଧାୟକଙ୍କ ଅଶୋଭନୀୟ ଆଚରଣ ଗୃହର ମର୍ଯ୍ୟାଦା ଓ ଗରିମା କ୍ଷୁର୍ଣ୍ଣ କରିଥିବା ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ସ୍ୱୀକାର କରିଛନ୍ତି। ତେବେ ୧୭ ବର୍ଷ ପରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ୨୦୦୪ରେ ତତ୍କାଳୀନ କଂଗ୍ରେସ ବିଧାୟକ ଅନୁପ ସାଏ ଗୃହରେ ଚପଲ ଫିଙ୍ଗିବା ଘଟଣାରେ ୬ଦିନ ପାଇଁ ନିଲମ୍ବିତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.