ରାତି ପାହିଲେ ଘୋଷଯାତ୍ରା : ସିଂହଦ୍ୱାରରେ ଲାଗିଲା ତିନି ରଥ

ପୁରୀ : ରାତି ପାହିଲେ ଘୋଷଯାତ୍ରା । ସିଂହଦ୍ୱାରରେ ଲାଗିଲା ତିନି ରଥ । ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ତିନି ଠାକୁର । ସକାଳ ଧୂପ ପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା । ତିନି ରଥରେ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଅଜ୍ଞାମାଳ ବିଜେ ପରେ ଆରମ୍ଭ ହୋଇଥିଲା ରଥଖଳାରୁ ସିଂହଦ୍ୱାରକୁ ରଥଟଣା । ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇଥିଲା । ଏବେ ମହାପ୍ରଭୁଙ୍କ ବିଜେକୁ ଅପେକ୍ଷା ।

ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୪ ଚକିଆ ଯାନ ପୁରୀକୁ ପ୍ରବେଶ ନିଷେଧ ହୋଇଛି। ତାଳବଣିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୪୦ ପ୍ଲାଟୁନ ପୋଲିସ । ସୁପରିଚାଳନା ପାଇଁ ୪ଜଣ ଏସ୍‌ପି ରହିବେ । ସହର ଭିତରେ ଶହେଟି ଓ ସହର ବାହାରେ ୧୨ଟି ସିସିଟିଭି ଲଗାଯାଇଛି । ସେହିପରି ଟ୍ରାଫିକ ସମ୍ପର୍କରେ ସବୁ ତଥ୍ୟ ପୁରୀ ପୋଲିସ ୱେବସାଇଟରେ ରହିଛି ।

୧୪ ଦିନର ଅଣସର ପରେ ମହାପ୍ରଭୁ ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମଙ୍ଗଳ ଆଳତି, ଅବକାଶ ପୂଜା ପରେ ଆରମ୍ଭ ହୋଇଥିଲା ପରିମାଣିକ ଟିକେଟ ଦର୍ଶନ । ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ସର୍ବସାଧାରଣ ଦର୍ଶନ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ।  ଶ୍ରୀକ୍ଷେତ୍ରରେ ଭିଡ଼ ଲାଗିଛି । ରଥଯାତ୍ରା ପାଇଁ ଏବେ ଭକ୍ତଙ୍କ ମଧ୍ୟରେ ରହିଛି ଅପୂର୍ବ ଉତ୍ସାହ ଓ ଉତ୍କଣ୍ଠା।

ଆସନ୍ତାକାଲି ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ନୀତି ନିର୍ଘଣ୍ଟ । ଏହା ପୂର୍ବରୁ ମଧ୍ୟ ନୀତି ସମ୍ପାଦନ ହେବାର ସମ୍ଭାବନା ରହିଛି । ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟାରେ ମଙ୍ଗଳ ଆଳତି, ୭ଟାରେ ଅବକାଶ, ସକାଳ ୮ଟାରୁ ୯ଟା ମଧ୍ୟରେ ଗୋପାଳବଲ୍ଲଭ ଭୋଗ ଅନୁଷ୍ଠିତ ହେବ । ସେହିପରି ୯ଟାରେ ରଥ ପ୍ରତିଷ୍ଠା ହେବ । ୯ଟା ୩୦ରୁ ୧୨ଟା ୩୦ ମଧ୍ୟରେ ପହଣ୍ଡି, ଦିନ ଗୋଟାଏ ୩୦ରେ ଚିତାଲାଗି, ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଓ ୪ଟାରୁ ରଥ ଟଣା ଆରମ୍ଭ ହେବ । ରଥ ଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.