ପଟ୍ଟାମୁଣ୍ଡାଇ: ଭଙ୍ଗାଘରେ ଅନାହାରରେ ତିନି କୁନି କୁନି ପିଲା । ମୁଣ୍ଡ ଉପରେ ଭଙ୍ଗା ଛପର । ସେହି ନଡ଼ା ଛପର ଉପରେ ପଡ଼ିରହିଛି କଳା ଓ ଧଳା ରଙ୍ଗର ଅନେକ ଚିରା ପଲିଥିନ ପାଲ । ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଟି କାନ୍ଥ ପଡ଼ି ଯାଇଛି । ଯେଉଁଠି ରୋଷେଇ ସେଇଠି ଠାକୁର ରଖି ପୂଜା କରୁଥିବା ବେଳେ ସେହି ଝାଟିମାଟି ଘରେ ରହୁଛନ୍ତି ତିନି ପିଲା । ଦିନରେ ଖରା ଓ ରାତିର କିଟିମିଟି ଅନ୍ଧାରରେ ଜହ୍ମ ଓ ତାରା ଘରେ ଦେଖାଯାଉଛି । ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ଭଗବାନଙ୍କୁ ଡାକି ଡାକି ଦିନ କାଟୁଛନ୍ତି ତିନି କୁନିକୁନି ପିଲା।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗାଁର ୫୫ ବର୍ଷିୟ ନିତ୍ୟାନନ୍ଦ ଜେନା ପର ଘରେ ମୂଲ ଲାଗି ନିଜର ପରିବାର ମୁହଁରେ ଆହାର ଦେଇ ଆସୁଥିଲେ । କିନ୍ତୁ କିଛିଦିନ ପୂର୍ବେ ନିତ୍ୟାନନ୍ଦ କାମ ସାରି ଘରକୁ ଫେରିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ନିତ୍ୟାନନ୍ଦଙ୍କ ଅପରେସନ ପାଇଁ ଡାକ୍ତର କହୁଥିବା ବେଳେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ମେଡିକାଲରେ ନିତ୍ୟାନନ୍ଦଙ୍କ ପାଖରେ ତାଙ୍କ ସ୍ତ୍ରୀ ରହୁଥିବା ବେଳେ ଘରେ ରହୁଛନ୍ତି ତାଙ୍କର ଛୋଟ ଛୋଟ ତିନିଟି ଝିଅ । ବାଟ ଖର୍ଚ୍ଚ ପାଇଁ ଅସମର୍ଥ ଥିବା ବେଳେ ସ୍ବାମୀଙ୍କ ଅପରେସନ କେମିତି ହେବ ବୋଲି ଚିନ୍ତାରେ ସ୍ତ୍ରୀ । ସେପଟେ ଛୋଟ ଛୋଟ କୁନି ପିଲା ଏବେ ଖାଇବା ଗଣ୍ଡେ ପାଇଁ ହେଉଛନ୍ତି ବାର ଦୁଆର । କିଏ କେତେବେଳେ ଦେଲେ ଏମାନେ ଖାଆନ୍ତି ନହେଲେ ଦିନ ସେମିତି କଟେ । ବାପାଙ୍କୁ ମନେ ପକାଇ କୁନି ଝିଅଙ୍କ ଆଖିରେ ଆଖିଏ ଲୁହ । ତେବେ ଅନାହାରରେ ପଡି ଛଟପଟ ହେଉଛନ୍ତି ଏହି ତିନି ଶିଶୁ ।
ଏଭଳି ଏକ ଦୁଃଖଦ ଘଟଣା ଜାଣିବା ପରେ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ଭେଟି ପଚାରିବାରୁ ବିଡିଓ କହିଛନ୍ତି ପଞ୍ଚାୟତ ଅଧିକାରୀଙ୍କ ସହିତ କଥାହୋଇ ସରକାରଙ୍କ ଗାଇଡ ଲାଇନ୍ ଅନୁଯାୟୀ ତଦନ୍ତ କରି ଯାହା ସମ୍ଭବ ହେବ ଯୋଗାଇ ଦିଆଯିବ । ସେହିପରି ପ୍ରଧାନମନ୍ତ୍ରୀ ଯୋଜନାରେ ସର୍ଭେ ହୋଇଛି, ଅନ୍ତର୍ଦୋୟ ଯୋଜନାରେ ଗୃହ ଆସିଛି ଯଦି ପରିବାର ଯୋଗ୍ୟ ହୋଇଥିବ ତେବେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ ।
ନିତ୍ୟାନନ୍ଦ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ନିତ୍ୟାନନ୍ଦଙ୍କ ଝିଅ ସ୍ବପ୍ନାରାଣୀ ସାଜିଛନ୍ତି ଏହି ଦୁଇ ପିଲାଙ୍କ ମାଆ । ନିତ୍ୟାନନ୍ଦଙ୍କ ସଡ଼କ ଦୁର୍ଘଟଣା ହେବା ଦିନଠାରୁ ଘରେ ଟଙ୍କାଟିଏ ନାହିଁ । ସକାଳେ ଓ ରାତିରେ ଗାଁ ପଡୋଶୀଙ୍କ ଘରୁ ମାଗି ଖାଉଥିବା ବେଳେ ରାସନ ଚାଉଳରେ ଭାତ ରୋଷେଇ କରନ୍ତି । ଏହି ଗରିବ ଶିଶୁଙ୍କୁ ଉଦ୍ଧାର କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।