ବାପାଙ୍କ ଶେଷ ଇଚ୍ଛା ପୂରଣ କରି ମୁଖାଗ୍ନି ଦେଲେ ତିନି ଝିଅ

ବରଗଡ଼ : ବାପର ସେ ଝିଅ ନଥିଲେ ପୁଅ ଥିଲେ । ଲୁହ ଭିଜା ଆଖି । ଛାତିରେ କୋହ । ଛାତିକୁ ପଥର କରି ଶ୍ମଶାନ ଗଲେ । ବାପଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଧୈର୍ଯ୍ୟର ସହିତ ଜଳୁଥିବା ଜୁଇ ପାଖରେ ଥିଲେ ତିନି ଝିଅ । ସବୁଠୁ ବଡ଼ କଥା ହେଉଛି ୩ ଭଉଣୀ ଏକା ସାଥିରେ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ଘରେ ପୁଅ ନଥିଲେ ବୋଲି ବାପାଙ୍କର ଇଚ୍ଛା ଥିଲା ଶେଷ ସମୟରେ ମୋ ଝିଅମାନେ ମୋ ମୁହଁରେ ଟିକେ ନିଆଁ ଦେବେ । ସତକୁ ମଧ୍ୟ ସେଇଆ ହେଲା । …ବାପାଙ୍କ ଶେଷ ସମୟରେ ତାଙ୍କ ପାଖରେ ନଥିଲେ ଝିଅମାନେ । କିନ୍ତୁ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଦୂରଦୂରାନ୍ତରୁ ଦରିଆ ପାରିରୁ ଆସି ମୁଖାଗ୍ନି ଦେଇଛନ୍ତି । ବାପା କେବେ ପୁଅ କି ଝିଅରେ ଫରକ ଦେଖିନଥିଲେ । ତେଣୁ ଝିଅମାନେ କାହିଁକି କିଛି ଚିନ୍ତା କରିଥାନ୍ତେ ? ବାପାଙ୍କ ଇଚ୍ଛା ପୂରଣ କଲେ ବିନା ଦ୍ବିଧାରେ ।

ତିନି ଝିଅ ଯେମିତି କହୁଥିଲେ ‘ବାପା ତମ ଦୁନିଆ ତମ ପୁଅ ଝିଅ ସବୁ ଆମେ’। …. ହିନ୍ଦୁ ପରମ୍ପରା ଅନୁଯାୟୀ ବାପା ମାଙ୍କ ଶବକୁ ପୁଅ ହିଁ ମୁଖାଗ୍ନି ଦେଇଥାନ୍ତି । ଏହି ଝିଅ ପୁଅର ଦ୍ୱନ୍ଦ୍ବ ଭିତରେ ବରଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯେଉଁଠି ତିନି ଝିଅ ମିଶି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ।

ବରଗଡ଼ ସହର କଲେଜ ରୋଡ଼ ଗଣେଶ ନଗର ନିବାସୀ ଘନଶ୍ୟାମ ମହାପାତ୍ର । ଗତ ରବିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁର ତିନି ଦିନ ପରେ ଦାହ ସଂସ୍କାର ସହ ବାପାଙ୍କୁ ମୂଖାଗ୍ନି ଦେଇଛନ୍ତି ତିନି ଝିଅ । ବାପାଙ୍କ ଦେହାନ୍ତ ଖବର ପାଇଲା ବେଳକୁ ତିନି ଝିଅ ବାହାରେ ଥିଲେ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି କଲେଜରେ ଅଧ୍ୟାପନା କରୁଥିବା ବଡ଼ଝିଅ ସୁନୟନା ଏବଂ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ସ୍ନାତକୋତ୍ତର ପଢୁଥିଲା ସାନଝିଅ ସୁନାକ୍ଷି । ସେମାନେ ଗୋଟିଏ ଦିନରେ ବରଗଡ଼ରେ ଆସି ପହଞ୍ଚି ଯାଇଥିଲେ । ହେଲେ ସୁଦୂର ଫ୍ରାନ୍ସରେ ଥିବା ମଝିଆଁ ଝିଅ ସୁକନ୍ୟା ପହଞ୍ଚି ପାରି ନଥିଲେ। ସେଥିପାଇଁ ବାପାଙ୍କ ମରଶରୀରକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ଯତ୍ନର ସହ ରଖା ଯାଇଥିଲା। ମଝିଆଁ ଝିଅ ସୁକନ୍ୟା ପହଞ୍ଚିବା ପରେ ଗତକାଲି ସକାଳେ ବରଗଡ଼ ଜୀରା ନଦୀକୂଳରେ ଅନ୍ତିମ ସତ୍କାର କରାଯାଇଥିଲା।

ତେବେ ତିନି ଝିଅ ବରଗଡ଼ ସହର ବାହାରେ ରହୁଥିବାରୁ ସେମାନଙ୍କ ବାପା ମାଆଙ୍କ ଯତ୍ନ ନେଉଥିଲେ ବଡ଼ବାପାଙ୍କ ପୁଅ ପ୍ରବୀଣ । ସେ ମଧ୍ୟ ତିନି ଭଉଣୀଙ୍କ ସହ ମିଶି ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ଘନଶ୍ୟାମ ମହାପାତ୍ରଙ୍କ ପରିବାର କହିଲେ ୩ ଝିଅ ଆଉ ପତ୍ନୀ । ସେ ବରଗଡ଼ ସମବାୟ ଚିନି କାରଖାନା ଏବଂ ବରଗଡ଼ ନିବନ୍ଧକ କାର୍ଯ୍ୟାଳୟରେ ଚାକିରି କରି ଅବସର ଗ୍ରହଣ କରିଥିଲେ। ରେମଣ୍ଡା ଗ୍ରାମ ନିବାସୀ ସ୍ବାଧୀନତା ସଂଗ୍ରାମୀ ଦ୍ବାରିକା ମହାପାତ୍ରଙ୍କ ପୁଅ ହେଉଛନ୍ତି ଘନଶ୍ୟାମ । ମୃତ୍ୟୁ ବେଳକୁ ତାଙ୍କୁ ସତୁରୀ ବର୍ଷ ବୟସ ହୋଇଥିଲା। ତେବେ ସେ ନିଜର ତିନି ଝିଅଙ୍କୁ ପୁଅ ଭଳି ବଢ଼ାଇ ବେଶ୍ ଦକ୍ଷ କରିଥିଲେ । ଯାହା ଅନ୍ୟମାନଙ୍କ ପାଇଁ ଏକ ବଡ଼ ଉଦାହରଣ । ଘନଶ୍ୟାମ ବରଗଡ଼ ବରିଷ୍ଠ ନାଗରିକ ସଂଘର ସଦସ୍ୟ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

You might also like