ବଣାଇ: ଏଇତ କିଛି ସମୟ ପରେ ଘରକୁ ଯାଇଥାନ୍ତେ ଆଉ ଟିକେ ସୁଖ ନିଦ୍ରାରେ ଶୋଇଥାନ୍ତେ । ହେଲେ ଘରେ ପହଁଚିବା ପୂର୍ବରୁ ରାଜରାସ୍ତା ଉପରେ ସାରାଜୀବନ ପାଇଁ ଚିର ନିଦ୍ରାରେ ଶୋଇ ପଡିଲେ ତିନି ଜଣ । ଏହିପରି ଏକ ଦୁଖଃଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ରାଜାମୁଣ୍ଡା ଅଞ୍ଚଳରେ । ଏହି ଅଞ୍ଚଳର ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜା ମୁଣ୍ଡା ବାଇପାସ୍ ଛକରୁ କୋଇଡାକୁ ସଂଯୋଗ କରୁଥିବା ୫୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।
ତେବେ ଘଟଣା ପରେ ଏନେଇ ପରିବାର ପକ୍ଷରୁ ମୃତଦେହକୁ ରଖି କ୍ଷତିପୂରଣ ଦାବିରେ ରାଜରାସ୍ତା ଅବରୋଧ କରାଯାଇଛି । ତେବେ ଖବର ମୁତାବକ, ରାଜା ମୁଣ୍ଡା ବାଇପାସ୍ ଗୋଲେଇ ଛକରୁ ମାତ୍ର ୧୦୦ ମିଟର ଦୂରରେ ଜାତୀୟ ରାଜପଥ ଉପରେ ଏକ ସ୍ଥାନରେ ରାସ୍ତା ଦବି ଯାଇଥିଲା । ଏକ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ସୁପରଭାଇଜର କିଛି ଶ୍ରମିକଙ୍କୁ ନେଇ ଦବି ଯାଇଥିବା ରାସ୍ତାର ମରାମତି କାମ କରୁଥିବା ବେଳେ ଏକ ହାଇୱା ଆସି ଧକ୍କା ଦେଇଥିଲା ।
ଏପଟେ ମୃତ୍ୟୁ ଦେହକୁ ପ୍ରଥମେ ଲହୁଣୀପଡା ପରେ ବଣାଇଁ ଅଣାଯାଇଥିବାବେଳେ, ପୋଲିସ୍ ନ ଆସିବାରୁ ପରିବାର ଲୋକ ବଣାଇଁରୁ ମୃତଦେହକୁ ନେଇ ରାଜରାସ୍ତାରେ ରଖି ରାସ୍ତା ରୋକ କରିଛନ୍ତି । ଗତକାଲି ରାତିଠାରୁ ଏହି ପ୍ରତିବାଦ କରାଯାଇଛି । ମୃତକଙ୍କ ପରିବା ପିଛା ୩୦ଲକ୍ଷ ଦେବାକୁ ଦାବି କରି ଏହି ରାସ୍ତା ରୋକ କରାଯାଇଛି । ଯାହାଫଳରେ ରାଜରାସ୍ତା ଉପରେ ଅଟକି ରହିଛି ଶହ ଶହ ଟ୍ରକ୍, ବସ୍ । ବଣାଇ ବିଧାୟକ ଘଟଣାସ୍ଥଳରେ ପହଁଚି ବୁଝା ସୁଝା କରିଛନ୍ତି ।
ଦୁର୍ଘଟଣାକୁ ନେଇ ଉତ୍ତେଜନା । ଉତ୍ତେଜନା ହବାଟା ତ ସ୍ୱାଭାବିକ । କାହିଁକିନା ଅକାରଣରେ ଚାଲିଗଲା ତିନି ତିନୋଟି ଜୀବନ । ପରିବାର ଚଳୁଥିଲା ଯେଉଁମାନଙ୍କ ପାଇଁ ସେମାନେ ଆଜି ଚିରନିଦ୍ରାରେ । ଏବେ କେମିତି ଚାଲିବ ସେମାନଙ୍କ ପରିବାର? ଏଦିଗରେ ସରକାର ନିହାତୀ କିଛି ପଦକ୍ଷପ ନେବା ଜରୁରୀ ।