ଗୁଣି ଗାରେଡିକୁ ନେଇ ଗଲା ତିନି ଜୀବନ, ୧୨ ଜଣଙ୍କୁ ଅଟକ ରଖିଛି ପୋଲିସ୍

ଯୁଗ ଯେତେ ଆଗେଇଲେ ବି କିଛି ମଣିଷ ଏବେବି ଅନ୍ଧବିଶ୍ବାସରେ ବୁଡ଼ି ରହିଛନ୍ତି । ଆଉ ଏହି ଅନ୍ଧ ବିଶ୍ବାସ ବେଳେବେଳେ ଏମିତି ଉଗ୍ର ରୂପ ନେଉଛି ଯେ ରକ୍ତପାତ ହେଉଛି ଶେଷ ପରିଣତି । ଗୁଣି ଗାରେଡି ସନ୍ଦେହରେ କେତେବେଳେ ଲୋକେ ବାସନ୍ଦ ହେଉଛ୍ନତି ତ କେତେବେଳେ ହତ୍ୟା କରାଯାଉଛି । ତେବେ ଗଞ୍ଜାମ ଜିଲ୍ଲାରେ ଏହି ସାମାଜିକ ବ୍ୟାଧି ବଢିବାରେ ଲାଗିଛି । ପ୍ରଶାସନ ବହୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହେଉଛି ଲୋକଙ୍କୁ ସଚେତନ କରିବାରେ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଖାରୀପଲ୍ଲୀ ଗାଁରେ ଅନ୍ଧବିଶ୍ବାସର କରୁଣ ପରିଣତି ନେଇ ଯାଇଛି ତିନି ତିନିଟି ଜୀବନ । ଗୁଣି ଗାରେଡିକୁ ନେଇ ଉଗ୍ର ରୂପ ନେଲା ବିବାଦ । ମଙ୍ଗଳବାର ସନ୍ଧ୍ୟାରେ ଗଡିଛି ତିନିଟି ମୁଣ୍ଡ ।
ବଡଗଡ ଥାନା ବାହାରପୁର ପଞ୍ଚାୟତର ଖାରୀପଲ୍ଲୀ ଗାଁ । ଏହି ଗାଁରେ ୫୦ ପରିବାର ଧୀବର । କିଛି ଲୋକ କୌଳିକ ବୃତ୍ତି ଅନୁସାରେ ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି । ଅଧିକାଂଶ ରାଜ୍ୟ ବାହାରକୁ ଯାଇ ରୋଜଗାର କରୁଛନ୍ତି । ତେବେ ଏହି ଗାଁର ଚାରି ପାଞ୍ଚ ପରିବାର ସହିତ ଅନ୍ୟ କିଛି ପରିବାର ମଧ୍ୟରେ ବିବାଦ ଲାଗି ରହିଛି । ଗୁଣି ଗାରେଡି ସନ୍ଦେହରେ ବର୍ଷ ବର୍ଷ ଧରି ବିବାଦ ରହିଛି । ଏହି ପାଞ୍ଚ ପରିବାର ଗୁଣି କରି କ୍ଷତି ପହଞ୍ଚାଉଛନ୍ତି ଓ ଜୀବନ ନେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି ।
ଏହାକୁ ନେଇ ତିନି ବର୍ଷ ତଳେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ସେହି ସମୟରେ ପୋଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲା । ସେହି ପାଞ୍ଚ ପରିବାର ଗାଁ ଛାଡି କିଛି ବର୍ଷ ପାଇଁ ବାହାରକୁ ପଳାଇ ଥିଲେ । ଅଭିଯୋଗ କଲେ କି ସେମାନଙ୍କୁ ବାସନ୍ଦ କରି ଦିଆଗଲା । ଏଇ କିଛି ଦିନ ହେବ ସେମାନେ ଗାଁକୁ ଫେରିଥିଲେ । ତେବେ ଗ୍ରାମବାସୀଙ୍କ ସହିତ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟା ସମୟରେ ଗୁଣି ଗାରେଡ଼ିକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା ।
ଗଣ୍ଡଗୋଳରେ ବାସନ୍ଦ ପରିବାରର ଖଦାଳ ବେହେରା ଓ ତାଙ୍କ ପୁଅ ରତ୍ନାକର ବେହେରା ମୃତ୍ୟୁ ବରଣ କରିଥିଲେ । ରତ୍ନାକରର ଆକ୍ରମଣରେ ରମେଶ ବେହେରା ଗୁରୁତର ହୋଇ ଧରାକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଶୁଣିଲେ ଭାରି ଆଶ୍ଚର୍ଯ୍ୟ ଲାଗୁଛଇ କି ଗୁଣି ଭଳି ଏକ ବିଶ୍ବାସ ହେଉନଥିବା ଘଟଣା ଯୋଗୁଁ ଚାଲି ଗଲା ତିନି ତିନିଟି ନୀରୀହ ଜୀବନ । ଗାଁରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଘଟଣାସ୍ଥଳରେ ଆସିକା ଏସଡିପିଓ ସନ୍ତୋଷ ଜେନା ଗାଁରେ ନଜର ରଖିଛନ୍ତି । ଏପଟେ ବଡଗଡ , ଧରାକୋଟ, ପାଟପୁର , ସେରଗଡ , କବିସୂର୍ଯ୍ୟନଗର ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି । ଗାଁର କିଛି ଲୋକଙ୍କୁ ପୋଲିସ ଉଠାଇ ନେଇ ପଚରା ଉଚରା କରୁଛି । କିପରି ଗାଁରେ ଶାନ୍ତି ଫେରିବ ସେଥିପ୍ରତି ପୋଲିସ ପ୍ରଶାସନ ଉଦ୍ୟମ କରୁଛନ୍ତି । ହେଲେ ଲୋକଙ୍କ ମନରୁ ଅନ୍ଧବିଶ୍ବାସକୁ ଦୂର କରାଯିବ କେମିତି ?
Also Read: ଅନ୍ଧ ବିଶ୍ବାସର ବିକଳ ଚିତ୍ର, ମୃତଦେହକୁ ଦୁଇ ଦିନ ରଖି କରାଯାଉଥିଲା ଝଡ଼ାଫୁଙ୍କା