ଡମ୍ପର ଧକ୍କା ହୋଇ ରୋଲର ମେସିନ ତଳେ ଚାପି ହୋଇ ଚାଲିଗଲା ୩ ଜୀବନ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତାରୋକ

ପେଟ ପାଟଣା ପାଇଁ କାମ କରିବାକୁ ଆସିଥିଲେ । କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର । କେତେବେଳେ କଣ ଯେ ଘଟିବ କହି ହେବନି । କାହାର ସମୟ କେତେବେଳେ ସରିବ କିଏ ବା ଜାଣିଛି । ଆଜି ଯିଏ ଏ ଦୁନିଆରେ ଅଛି କାଲି ଯେ ସେ ସକାଳର ସୂର୍ଯ୍ୟ ଦେଖିବ କହିହେବନି । ଭୟଙ୍କର ଦୁର୍ଘଟଣା ନେଇଗଲା ତିନି ତିନିଟି ନୀରିହ ଜୀବନ । ରୋଲର ମେସିନରେ ଚାପି ହୋଇଗଲେ ଶ୍ରମିକ । କ୍ଷଣିକରେ ଘଟିଗଲା ଏତେ ବଡ଼ ଅଘଟଣ । ସବୁଠାରୁ ବଡ଼ କଥା ହେଉଛି ରାସ୍ତା କାମ ଚାଲିଥିବାବେଳେ ଯେଉଁ ଶ୍ରମିକମାନେ ନିୟୋଜିତ ଥିଲେ ସେମାନଙ୍କର ହିଁ ମୃତ୍ୟୁ ହୋଇଛି । ଶ୍ରମିକଙ୍କ ଏଭଳି ମୃତ୍ୟୁକୁ ନେଇ ଧାରଣା ଦେଇଥିଲେ ସ୍ଥାନୀୟ ବାସିନ୍ଦା ।
କାମାକ୍ଷାନଗର ଥାନା ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ରାସ୍ତାକାମରେ ନିୟୋଜିତ ୩ ଶ୍ରମିକଙ୍କୁ ଡମ୍ପର ଧକ୍କା ଦେବା ଫଳରେ ରୋଲର ମେସିନରେ ଚାପି ହୋଇଗଲେ ଶ୍ରମିକ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର – ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁକାମ କରାଯାଉଥିଲା । ଏଥିରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ଏକ ଡମ୍ପର ଆସି କାର୍ଯ୍ୟରେ ନିୟୋଜିତ ୩ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଫଳରେ ଶ୍ରମିକମାନେ ଡମ୍ପର ସହ ଧକ୍କା ହୋଇ ନିକଟରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲରମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ ।
ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କାମାକ୍ଷାନଗର ମେଡିକାଲରେ ଜଣେ ଓ କଟକ ମେଡିକାଲରେ ଅନ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ମୃତକ ରେକୁଳା ଗାଁର କ୍ଷୀରୋଦ ସାହୁ ହୋଇଥିବାବେଳେ ଅନ୍ୟ ମୃତକଙ୍କର ପରିଚୟ ମିଳିପାରି ନାହିଁ । ଅନ୍ୟ ଗୁରୁତର ଆହତ ବ୍ୟକ୍ତି କଟକ ସ୍ଥାନାନ୍ତର ହୋଇଛନ୍ତି । ଗ୍ରାମବାସୀଙ୍କ ତରଫରୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ଦୀର୍ଘ ସମୟ ଧରି କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟାତ ଠପ୍ ହୋଇଯାଇଥିଲା ।
ଏମିତି ଅଘଟଣକୁ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଯାହା ଫଳରେ ୫ଘଣ୍ଟା ଧରି ଯାତାୟତ ଠପ୍ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡିମଟର ଅଟକି ରହିଥିଲା । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ଉପଜିଲ୍ଲାପାଳ, ଥାନା ଅଧିକାରି, ପୂର୍ତ୍ତ ବିଭାଗର ଅଧିକାରି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ । ପରେ ରେଡକ୍ରସରୁ ପ୍ରାଥମିକ ଭାବେ ସମସ୍ତ ମୃତକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଥିବା କ୍ଷିରୋଦ ସାହୁଙ୍କ ପରିବାରର ଜଣଙ୍କୁ ଚାକିରି ଦେବାର ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା । ତେବେ ପରବର୍ତ୍ତୀ ସମୟରେ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି କୁହାଯିବା ପରେ ଧାରଣାରୁ ହଟିଥିଲେ ଲୋକେ । ବର୍ତ୍ତମାନ ଯାତାୟାତ ସ୍ବଭାବିକ ହୋଇଛି ।
Also Read: ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା, ତଦନ୍ତ କରୁଛି ପୋଲିସ