କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ୩ ଜଣିଆ କମିଟି

କଟକ : କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣାରେ ୩ ଜଣିଆ କମିଟି କରିବ ତଦନ୍ତ ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପଦକ୍ଷେପ ସ୍ୱରୂପ କଟକ-ସଦର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବ କମିଟି ।

ଗତକାଲି କଟକ ଖାନନଗର ଠାରେ କାଠଯୋଡ଼ି ନଦୀରେ ନିର୍ମାଣାଧୀନ ବ୍ରିଜ ସ୍ଲାବକୁ କ୍ରେନରେ ଟେକାଯାଉଥିବା ବେଳେ ଛିଡିପଡ଼ିଥିଲା ଚେନ । ଫଳରେ ସ୍ଲାବ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ କିଛି ଶ୍ରମିକ ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ଜଣ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

୨ଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସ୍ଲାବ ତଳେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା ରହିଥିଲା । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ମୃତାହତଙ୍କ ସଂଖ୍ୟା ଆଉ ବୃଦ୍ଧି ହୋଇନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।