ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍): ଦିଲ୍ଲୀରେ ଚଳାଇଥିଲେ ଲୁଟ୍ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ ଭାବିଥିଲେ ପୋଲିସ ଆଖିରେ ଧୂଳି ଦେଇ ବଞ୍ଚିଯିବେ ବୋଲି । ହେଲେ ସେ ଜାଣିନଥିଲେ ସେମାନେ ଏପରି ଧରାପଡ଼ିଯିବେ ବୋଲି । ଦିଲ୍ଲୀରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି ଅଭିଯୋଗରେ ସୋରରୁ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ।
ଖଇରା ଥାନା ମଛଦା ଗ୍ରାମର ମଦନ ମୋହନ ଦାସ ଦିଲ୍ଲୀ ଫ୍ରେଣ୍ଡସ କଲୋନୀର ସିଦ୍ଧାର୍ଥ ଶଙ୍କର ମହାନ୍ତି ନାମକ ଜଣେ ସାମ୍ବାଦିକଙ୍କ ଘରେ କାମ କରୁଥିଲେ । ଗତ ମଇ ମାସ ୨୯ ତାରିଖରେ ଘରେ କେହି ନଥିବାର ସୁଯୋଗ ନେଇ ମଦନ ତାଙ୍କ ଘରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ବାବଦରେ ଗୌତମ ନିୟୁ ଫ୍ରେଣ୍ଡସ କଲୋନୀ ଥାନାରେ ଏକ ଅଭିଯୋଗ କରିଥିଲେ । ପରେ ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସୋରରେ ପହଞ୍ଚିଥିଲେ ।
ଚୋରି ଅଭିଯୋଗରେ ସୋର ଅଞ୍ଚଳର ତିନି ଯୁବକଙ୍କୁ ସୋର ଓ ଦିଲ୍ଲୀ ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷ ଟଙ୍କାର ହୀରା ,ସୁନା ଗହଣା ପୋଲିସ ଜବତ କରିଛି l
୧୫ ଦିନରୁ ଅଧିକ ଦିନ ସୋରରେ ରହି ସୋର ପୁଲିସ ସହାୟତାରେ ମଦନ ସମେତ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ସୋର ଥାନା ରଘୁନାଥପୁର ଗ୍ରାମର ଫ୍ରଫୁଲ୍ଲ ଦାସ ଓ ସେହି ଗ୍ରାମର ଅରୁଣ ଦାସଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ଗହଣା ଜବତ କରିଥିଲେ । ଆଜି ତିନି ଯୁବକଙ୍କୁ ଗିରଫ କରି ଦିଲ୍ଲୀ ପୋଲିସ ଦିଲ୍ଲୀ ନେଇଯାଇଛି l ଏହାସହ ଜବତ ଟଙ୍କା ଗହଣା ଦିଲ୍ଲୀ ପୋଲିସ ନେଇଯାଇଛି l ଏହାସହ ସେମାନେ ଅଳଙ୍କାର କିଛି ସୁନା ଦୋକାନରେ ବିକ୍ରି କରିଥିବା ନେଇ ପୋଲିସ ତନାଘନା ଜାରି ରଖିଛି ।