ମା’ ମରି ଶୋଇଛି, ରାତି ସାରା ମୋବାଇଲ ଧରି ଗୀତ ଶୁଣୁଛି ୩ ବର୍ଷର ପୁଅ

ବେଗୁନିଆ: ଘର ଭିତର ପଟୁ କବାଟ ବନ୍ଦ । ମାଆ ତା ଭିତରେ ଜୀବନ ହାରି ଦେଇଛି । ଆଉ କଅଁଳା ଛୁଆଟି କିଛି ବୁଝି ପାରିନି କଣ ଘଟିଛି ବୋଲି। ସେ ବି ନିର୍ବିକାର ହୋଇ ମୋବାଇଲ ଦେଖୁଛି ଯେମିତି କିଛି ଘଟିନି । ସକାଳେ ପଡ଼ିଶା ଘର ଲୋକେ ଦେଖିବା ପରେ ଏହି ଅଘଟଣ ବିଷୟରେ ଜାଣିଥିଲେ ।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଟୀକାତାଳ ଗାଁରେ । ଏହି ଗାଁର ଟୁକୁ ରାଉତରାୟ ନିକଟସ୍ଥ ଚାମ୍ପେଇଲା ଗାଁର ପ୍ରଭାତୀ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ କୌଣସି କାରଣରୁ ଗତକାଲି ପ୍ରଭାତୀ ଜୀବନ ହାରି ଦେଇଛନ୍ତି। ତେବେ ବେଗୁନିଆ ପୋଲିସ ଆସି ମୃତକର ସ୍ୱାମୀକୁ ଥାନାକୁ ନେଇ ଯାଇଛି । ଆଉ ନିରୀହ ଅବୋଧ ପିଲାଟି ଘର ଭିତରେ ସେମିତି ରହି ଯାଇଥିଲା ଅନେକ ସମୟ ଧରି ।

ପାରିବାରିକ ବିବାଦ ହିଁ ଏଭଳି ଅଘଟଣର କାରଣ ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ତେବେ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେଣୁ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ମୃତ୍ୟୁର କାରଣ । ହେଲେ ଏସବୁ ଭିତରେ ତିନି ବର୍ଷର ପିଲାଟି କଥା ବୁଝିବ କିଏ ?
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ।

Also Read:ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ମହିଳା, ବଞ୍ଚିତ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଟଙ୍କା