ଅସୁସ୍ଥ ବାଘ ଶାବକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହାତୀ ଛୁଆ ଗୁରୁତର

ଭୁବନେଶ୍ୱର : ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅସୁସ୍ଥ ଥିବା ବାଘୁଣୀ ରୂପାର ଛୁଆ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।  ବାଘ ଛୁଆଟି ଅସୁସ୍ଥ ଥିବାରୁ ତାକୁ ନନ୍ଦନକାନନ ଚିକିତ୍ସାଳୟର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଚାଲିଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି ।  ସୂଚନା ମୁତାବକ ନନ୍ଦନକାନନର ଧଳା ବାଘୁଣୀ ରୂପା ଗତ ବର୍ଷ ନଭେମ୍ବର ୨ ତାରିଖରେ ତାର ତୃତୀୟ ଗର୍ଭରୁ ୪ ଶାବକ ଜନ୍ମ ଦେଇଥିଲା ।  ଜନ୍ମ ପରେ ସମସ୍ତ ଛୁଆଙ୍କୁ ଗ୍ରହଣ କରିଥିଲା ରୂପା ।

ମେଲାନିଷ୍ଟିକ ବାଘ କ୍ରିଷ୍ଣା ସହ ରୂପାର ମିଳନ ଫଳରେ ପର୍ଯ୍ୟାୟ କ୍ରମେ ଏହି ୪ ଶାବକ ଜନ୍ମ ଗ୍ରହଣ କରିଥିଲେ ।  ଜନ୍ମ ନେବା ପରେ ସମସ୍ତ ଶାବକ ସୁସ୍ଥ ଥିଲେ।  ନନ୍ଦନକାନନ କର୍ତ୍ତୃପକ୍ଷ ସମସ୍ତ ଶାବକ ଏବଂ ରୂପାକୁ ସିସିଟିଭି ନଜରରେ ରଖିଥିଲେ ।  କିଛି ଦିନ ପୂର୍ବେ ସେମାନଙ୍କ ମଧ୍ୟରୁ ଏକ ବାଘ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲା ।  ତାର ଶରୀରରେ ନିଷ୍କ୍ରିୟତା ସିସିଟିଭିରେ ଦେଖିବାକୁ ମିଳିଥିଲା ।  ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷ ଶାବକଟିକୁ ମା ପାଖରୁ ଅଲଗା କରି ପ୍ରାଥମିକ ଚିକିତ୍ସା କରି ପୁଣି ମା ପାଖରେ ଛାଡିଥିଲେ ।

ହେଲେ ଗତକାଲି ପୁଣି ସେହି ଶାବକଟି ଅସୁସ୍ଥ ହୋଇ ପଡ଼ିଥିଲା ।  ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ଵାବଧାନରେ ବାଘ ଶାବକକୁ ନନ୍ଦନକାନନର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ରଖାଯାଇ ସଲାଇନ୍ ଦିଆଯାଇ ଚିକିତ୍ସା କରାଯାଉଥିବା ବେଳେ ଆଜି ତାର ମୃତ୍ୟୁ ହୋଇଥିବା ଜଣାପଡିଛି ।  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେପଟେ ଚଳିତ ମାସ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିବା ୫ ରୁ ୬ ବର୍ଷ ବୟସ୍କ ଅଣ୍ଡିରା ହାତୀ ଛୁଆ ଅବସ୍ଥା ଗୁରୁତର ରହିଛି।  କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ପୋକାମୁଣ୍ଡା ଗ୍ରାମରେ ଥିବା ଏକ ମୋରମ ଖଣିରେ ଉକ୍ତ ହାତୀ ଛୁଆଟି ଖସି ପଡିଥିଲା ।  ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ହାତୀକୁ ଉଦ୍ଧାର କରାଯାଇ ଅଧିକ ଚିକିତ୍ସା ପାଇଁ ନନ୍ଦନକାନନ ପଠାଯାଇଥିଲା।

ଏଠାକୁ ଆସିବା ପରେ ହାତୀର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଦେଖା ଯାଇନାହିଁ ।  ସଠିକ୍ ଭାବେ ହାତୀ ଛୁଆଟି ଖାଦ୍ୟ ଗ୍ରହଣ କରିପାରୁନାହିଁ ।  ହାତୀ ଛୁଆଟି ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁନାହିଁ ।  ଯାହା ଫଳରେ ତାକୁ ଏକ କ୍ରେନ୍ ସାହାଯ୍ୟରେ ଉଠା ଯାଉଛି ।  ବର୍ତ୍ତମାନ ସୁଦ୍ଧା ହାତୀଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ନନ୍ଦନକାନନ ଉପ ନିର୍ଦେଶକ ସନତ କୁମାର ନାରାୟଣ କହିଛନ୍ତି ।

You might also like