ବାଣପୁର ଷଣ୍ଢା ଜଙ୍ଗଲରେ ମହାବଳ ବାଘ ଆତଙ୍କ, ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ

ବାଲୁଗାଁ (ଖୋର୍ଦ୍ଧା) : ପୁଣି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବୁଲୁଛି ମହାବଳ ବାଘ , ଲୋକେ ଆତଙ୍କିତ ।  ଗତ 20 ତାରିଖରେ ନାଚୁଣୀ ସୁଳିଆ ଜଙ୍ଗଲରେ ଏକ ଷଣ୍ଢକୁ ମାରି ଅଧା ଖାଇ ଚାଲି ଯାଇଥିଲା ଗୋଟିଏ ବାଘ । ବାଘକୁ କେହି ଦେଖି ନଥିଲେ ମଧ୍ୟ ଷଣ୍ଢଟି ମରିପଡିଥିବା ଚାଷ ଜମିରେ ବାଘଟିର ପାଦ ଚି଼ହ୍ନ ସହିତ ଧାନ ଗଛ ସବୁ ଦବିଯାଇଥିବା ଦେଖିବାକୁ ମିଳିଥିଲା  ।  ପାଦ ଚିହ୍ନରୁ ମହାବଳ ବାଘ ବୋଲି ଟାଙ୍ଗୀ ବନ ବିଭାଗ ସ୍ପଷ୍ଟ କରିଥିଲା  ।

ଆଉ ଟାଙ୍ଗୀ ବନ ବିଭାଗ ବାଘଟିର ସନ୍ଧାନ ପାଇନଥିବା ବେଳେ,  ଦୀର୍ଘ 10 ଦିନ ପରେ ଗତକାଲି ଉକ୍ତ ବାଘଟି ଶୂଳିଆ ଜଙ୍ଗଲରୁ ଆସି ଗମ୍ଭାରୀମୁଣ୍ଡା ନିକଟସ୍ଥ ଷଣ୍ଢା ଡ୍ୟାମ ଅଞ୍ଚଳରେ ବୁଲୁଥିବାର ପାଦ ଚିହ୍ନ ଦେଖିବାକୁ ମିଳିଛି  ।  ବାଲୁଗାଁ ବନାଞ୍ଚଳ ପଦ୍ମପୁର ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ୍ୟାମ ନିକଟରେ ଥିବା ପ୍ରଦୀପ ସାମନ୍ତସିଂହାରଙ୍କ ଫାର୍ମ ହାଉସର ପୋଖରୀ ରାସ୍ତାରେ ବାଘର ପାଦଚିହ୍ନ ପଡିଥିବାର ଖବର ପାଇ ବନବିଭାଗ ଅଧିକାରୀମାନେ ଅନୁସନ୍ଧାନ କରିବା ସହିତ ସ୍ପଷ୍ଟ କରିଛନ୍ତି ମହାବଳ ବାଘ ବୋଲି ।

ତେବେ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାର ଖବର ପ୍ରଘଟ ହେବାରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଏବେ ଆତଙ୍କିତ ହୋଇପଡିଛନ୍ତି  । ଜଙ୍ଗଲ ନିକଟସ୍ଥ ଚାଷ ଜମିକୁ ଯିବାକୁ ଚାଷୀମାନେ ଭୟ କରୁଛନ୍ତି । ସ୍ଥାନୀୟ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ସଚେତନତା କରାଯାଇଛି  । ବନ ବିଭାଗ ଜଙ୍ଗଲ ମଧ୍ୟରେ ଫୁଟ ପେଟ୍ରୋଲିଙ୍ଗ ଚଳାଇଥିଲେ ମଧ୍ୟ ଏହି ପର୍ଯ୍ୟନ୍ତ ବାଘକୁ ଠାବ କରି ପାରି ନାହାନ୍ତି ।

ଶୂଳିଆ ଜଙ୍ଗଲର ଡ୍ରୋନ୍ ଓ ଟ୍ରାକ କ୍ୟାମେରା ହେଉ କି ବରବରା ଜଙ୍ଗଲରେ ଲାଗିଥିବା ଟ୍ରାକ କ୍ୟାମେରାରେ ଏପର୍ଯ୍ୟନ୍ତ ବାଘର ଛବି ଆସିନାହିଁଁ ।  ଏ’ ମଧ୍ୟରେ ଏକ ସପ୍ତାହ ଅଧିକ ବିତି ଯାଇଥିଲେ ମଧ୍ୟ ବାଘର ଗତିବିଧି କିମ୍ବା ବାଘକୁ ଠାବ କରିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଛି । ଆମ ପ୍ରତିନିଧି ଟେଲିଫୋନ ଯୋଗେ ଖୋର୍ଦ୍ଧା DFO ଙ୍କ ସହିତ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିପାରିନାହିଁ  । ଏପଟେ ବାଘକୁ ଶୀଘ୍ର ଧରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା  ।

 

You might also like