ଟ୍ରାପ୍ କ୍ୟାମେରା ଲଗାଇଛି ବନବିଭାଗ, ତଥାପି ଅଦୃଶ୍ୟ ବାଘର ପତ୍ତା ମିଳୁନି

ଭଞ୍ଜନଗର: ବାଘ ନେଇଗଲା ! ଗୋଠରେ ପଶିଲା, ଆଉ ଆଖି ପଛୁଳାକେ ଗୋଟିଏ ଗାଈ ଓ ବାଛୁରୀକୁ ଟାଣି ନେଇଗଲା ।  ଏବେ ଜଙ୍ଗଲ ଭିତରେ ତନ୍ନତନ୍ନ କରି ମୃତଦେହକୁ ଖୋଜୁଛି ବନବିଭାଗ । ହେଲେ ମିଳୁନି ସେମାନଙ୍କ ମୃତଦେହ । ଏମିତି ଏକ ଘଟଣା ପୁଣି ନଜରକୁ ଆସିଛି, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବନାଞ୍ଚଳର ହଜପଲ୍ଲୀ ଗାଁ ନିକଟରେ ।

ଗତ ୬ମାସ ହେଲା, ଏହି ବନଖଣ୍ଡରେ ଏଭଳି ଆତଙ୍କ ଖେଳାଇ ଅଦୃଶ୍ୟ ବାଘ । ଜଙ୍ଗଲ ପାଖ ଗାଈଗୋଠରେ ପଶୁଛି,ଟାଣି ନେଇ ମାରି ଖାଉଛି । ପ୍ରଥମେ ଏହି ଘଟଣା ନଜରକୁ ଆସିବା ପରେ, ଜଙ୍ଗଲ ଏବଂ ଆଖପାଖ ଅଞ୍ଚଳରେ ଟ୍ରାପ୍ କ୍ୟାମେରା ଲଗାଉଛି ବନବିଭାଗ । ହେଲେ ସେଥିରେ ତାର, ଛବି ଆସୁନି । ସ୍ଥାନୀୟ ଅଞ୍ଚଳରେ ପଡୁଥିବା ପାଦ ଚିହ୍ନ ଏବଂ ଗାଈ-ବାଛୁରୀଙ୍କ ଶରୀର ଦେଖି ବାଘ ବୋଲି ଅନୁମାନ କରାଯାଉଛି । ହେଲେ, ଏ ସଂକ୍ରାନ୍ତରେ  ଏଯାଏଁ କିଛିବି ସ୍ପଷ୍ଟ କରିନି ବନବିଭାଗ ।

ଉତ୍ତର ଘୁମୁସର ବନଖଣ୍ଡରୁ ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ କନ୍ଧମାଳ ଓ ନୟାଗଡ଼ ବନଖଣ୍ଡକୁ ଚକ୍କର ମାରୁଥିବା କୁହାଯାଉଛି । ଗୋଟିଏ ସ୍ଥାନରେ ଗାଈଗୋରୁଙ୍କୁ ଆକ୍ରମଣ କରିବା ପରେ, ସ୍ଥାନ ବଦଳାଉଛି ସଂପୃକ୍ତ ବାଘ । ଆଜି ପର୍ଯ୍ୟନ୍ତ ପ୍ରାୟ ୧୦ ରୁ ଅଧିକ ସ୍ଥାନରେ, ଗାଈଗୋଠରେ ପଶି ପ୍ରାୟ ୨୦ ରୁ ଊର୍ଦ୍ଧ୍ୱ ଗାଈ ବାଛୁରୀଙ୍କୁ ମାରି ଖାଇଲାଣି ସଂପୃକ୍ତ ବାଘ । ଭୟଭୀତ ହୋଇ ପଡୁଛନ୍ତି ଜଙ୍ଗଲ ନିକଟରେ ଗାଈଗୋଠ କରିଥିବା ଗୋପାଳ ଏବଂ ସ୍ଥାନୀୟ ଅଞ୍ଚଳବାସୀ । ସୋମବାର ସକାଳେ ପୁଣି ଏଭଳି ଘଟଣା ନଜରକୁ ଆସିବା ପରେ, ବନବିଭାଗର ଚିନ୍ତା ବଢିଯାଇଛି ।

ବାଘକୁ ଠାବ କରିବାପାଇଁ ବନ ବିଭାଗର ସବୁ ଉଦ୍ୟମ ସତ୍ତ୍ୱେ, ଚତୁରତାର ସହ ସ୍ଥାନ ବଦଳାଇ ଗୋଟିଏ ପରେ ଗୋଟିଏ ଶିକାର କରିଚାଲିଛି ଅଦୃଶ୍ୟ ବାଘ । ଏହାରି ଭିତରେ ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣା ଅନୁଧ୍ୟାନ କରିଛନ୍ତି । ଯଦିଓ ସଂପୃକ୍ତ ବନ୍ୟଜନ୍ତୁ ଏବଂ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବିଭାଗ ପକ୍ଷରୁ ଆଜିଯାଏଁ “ବାଘ” ବୋଲି ସ୍ପଷ୍ଟ କରାଯାଇନାହିଁ, ତଥାପି ଭିତରେ ଭିତରେ କିଛି ଗୋଟାଏ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

You might also like