ପୁଣି ବାଘ ଆତଙ୍କ : ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁନାହାନ୍ତି ଲୋକେ

ଭଞ୍ଜନଗର : ପୁଣି ବାଘ ଆତଙ୍କ । ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳର କୁଡୁତେଇ ଗାଁ ବାଘ ଆତଙ୍କ । ଗୁହାଳରୁ ଗାଈ ଓ ବାଛୁରୀକୁ ଟାଣି ନେଇ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ବନଖଣ୍ଡରେ ବିଭିନ୍ନ ସ୍ଥାନରୁ ଗାଈ, ଗୋରୁ ଏବଂ ବାଛୁରୀଙ୍କୁ ମାରିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ, ପୁଣି ବାଘର ଉପସ୍ଥିତିକୁ ନେଇ ଏବେ ଆଶଙ୍କାରେ ପଡିଛନ୍ତି ଉଭୟ ବନବିଭାଗ ଏବଂ ଗାଈ ମାଲିକ ।

ସୋମବାର ସକାଳେ କୈଳାସ ଗୋଠକୁ ଯାଇ ଦେଖିଲା ବେଳକୁ ଗାଈ ଗୁଡିକ ପଘା ଛିଡାଇ ଏପଟ ସେପଟ ବୁଲୁଛନ୍ତି। ଏଥିସହ ଏକ ଗାଈ ଓ ବାଛୁରୀ ନଥିବା ସେ ଦେଖିବାକୁ ପାଇଥିଲେ। ଏଥିସହ ଗୋଠ ନିକଟରେ ବାଘର ପାଦଚିହ୍ନ ଓ ବାଘର ପାଦଚିହ୍ନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଏଥିସହ ବନ ବିଭାଗ ବାଘର ଉପସ୍ଥିତି ଉପରେ ନଜର ରଖିଛି।

ସୂଚନା ଅନୁସାରେ ଗତ ୩/୪ମାସ ମଧ୍ୟରେ ବାଘଟି ୧୭ଟି ଗାଈକୁ ମାରି ଖାଇଥିବାରୁ ଜଙ୍ଗଲାଞ୍ଚଳ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବାଘ ଆତଙ୍କ ଯୋଗୁ ସଞ୍ଜ ନଈଲେ ଗୋପାଳକ ପ୍ରମାଦ ଗଣୁଛନ୍ତି। ବାଘ ଆତଙ୍କ ବନ ବିଭାଗର ନିଦ ହଜାଇ ଦେଇଛି। ବାଘକୁ କାବୁ କରିବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ସଂଯୋଗ କରିବା ସହ ଯନ୍ତା ଓ ଜାଲ ପକାଇଥିଲେ ମଧ୍ୟ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି।