ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ପୋଲିସ ଡିଜି
ଭୁବନେଶ୍ୱର : ସଜେଇ ହେଉଛି ରାଜଧାନୀ । ଆଉ ଦିନକ ପରେ ଭୁବନେଶ୍ବର ଜନତା ମଇଦାନରେ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ମେଗା ଇଭେଣ୍ଟ । ଏପର୍ଯ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ମିଳନୀ ମାଧ୍ୟମରେ ବିଶ୍ବସ୍ତରରେ ଓଡ଼ିଶାର ପ୍ରଚାର ପ୍ରସାର ହେବ ।
ପ୍ରବାସୀ ଭାରତୀୟ ଯେପରି ଓଡ଼ିଶାରୁ ଭଲ ଅନୁଭୂତି ନେଇ ଫେରିବେ, ସେଥିପାଇ ସମସ୍ତ ବ୍ୟବସ୍ଥା କରାଯାଉଛି । ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ସୁରକ୍ଷା ମକ୍ ଡ୍ରିଲ କରାଯାଇଛି । ସ୍ବତନ୍ତ୍ର ଅପରେସନରେ ପ୍ରତିହତ କରିଥିଲେ ସ୍ପେସିଆଲ ଟାକ୍ଟିକାଲ ୟୁନିଟ୍ -STU କମାଣ୍ଡୋ। ଜନତା ମଇଦାନରେ ଅର୍ବାନ୍ ୱାର୍ ଫାୟାର ପକ୍ଷରୁ ମକ୍ ଡ୍ରିଲ୍। ସାମିଲ ହୋଇଥିଲେ ଏସଓଜି, ଏସପିଜି, ଓଡ୍ରାଫ, ଅଗ୍ନିଶମ, K9 ଡଗ୍ ସ୍କ୍ବାଡ୍।
ନିଜେ ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ତାଙ୍କ ସହ ପୋଲିସ କମିସନର, ଭୁବନେଶ୍ୱର ଡିସିପି, ଅତିରିକ୍ତ ପୋଲିସ କମିଶନର ସାମିଲ ଥିଲେ। ପ୍ରବାସୀ ଭାରତୀୟ ଦିବସ ବେଳେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିବ ଜନତା ମୈଦାନ। ଏକାଧିକ ଧମକପୂର୍ଣ୍ଣ ମେଲ୍ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି। ସମ୍ମିଳନୀ ବେଳେ ରାଜଧାନୀରେ ମୁତୟନ ହେବେ ୮୦ପ୍ଲାଟୁନ ପୋଲିସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ। ସିସିଟିଭି ସର୍ଭେଲାନ୍ସରେ ରହିବ ରାଜଧାନୀ ।