ରାଇଗୁଡ଼ାରେ ସ୍ୱତନ୍ତ୍ର ଜନ୍ତାରେ ରହିଛି ବାଘୁଣୀ ସୁନ୍ଦରୀ, ଏନ୍ଟିସିଏ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ

ରାଇଗୁଡ଼ା(କେନ୍ଯୁଜ୍) : ଭଲ ଅଛି ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା । ବର୍ତ୍ତମାନ ରାଇଗୁଡ଼ାରେ ଏକ ସ୍ୱତନ୍ତ୍ର ଜନ୍ତାରେ ରହିଛି ବାଘୁଣୀ ସୁନ୍ଦରୀ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-ଏନ୍ଟିସିଏ ଓ ଡବ୍ଲୁଆଇଆଇ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଦୀର୍ଘ ଦୁଇ ସପ୍ତାହର ଉଦ୍ୟମ ପରେ ଗତକାଲି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଓଡ଼ିଶାର ବିଶେଷଜ୍ଞ ଟିମ୍ ଏକ ସୁନ୍ଦରୀକୁ ନିଶ୍ଚେତକ ଦେଇଥିଲେ । ତେବେ ସାତକୋଶିଆ ଜଂଗଲ ଭିତରେ ଏକାଧିକ ଟିମ୍ ଏହି ଅପରେସନ୍ରେ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ୍ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବିଶେଷଜ୍ଞ ଟିମ୍ ଫେଲ ମାରିଥିଲେ ।
ଏହାପରେ ଭୁବନେଶ୍ୱର ଚନ୍ଦକା ଅଭୟାରଣ୍ୟରୁ କୁମକୀ ହାତୀ ଯଶୋଦାକୁ ନିଆଯାଇଥିଲା ସାତକୋଶିଆ । ବାଘୁଣୀକୁ କାବୁ କରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିଲେ । ଦୁଇ ଦିନ ଧରି ଯଶୋଦା ପିଠିରେ ବସି ବିଶେଷଜ୍ଞମାନେ ସୁନ୍ଦରୀ ତଲାସରେ ଥିଲେ । ହେଲେ ସଫଳ ହୋଇ ନଥିଲେ । ଅନୁଗୁଳ ୱାଇଲଡ ଲାଇଫ ଡିଏଫଓ କେ. ରାମାସ୍ୱାମୀ ଏବଂ ଆରସିସିଏଫ ସୁଦର୍ଶନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଶେଷଜ୍ଞ ଟିମ ଏକ ଭ୍ୟାନରୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ । ସୁନ୍ଦରୀ କାବୁ ହେବା ପରେ ଏବେ ବନବିଭାଗ ଓ ସ୍ଥାନୀୟ ଗାଁ ଲୋକେ ଆଶ୍ୱସ୍ତ ହୋଇଛନ୍ତି ।